ଦୁର୍ନୀତିମୁକ୍ତ ସମାଜ ଗଠନର ବାର୍ତ୍ତା ନେଇ ବାଲେଶ୍ୱରରେ ବିଶାଳ ସଚେତନତା ପଦଯାତ୍ରା
ବାଲେଶ୍ୱର: ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି ଏବଂ ସମାଜରେ ସ୍ୱଚ୍ଛତା ଓ ସଚ୍ଚୋଟତାର ମୂଲ୍ୟବୋଧ ପ୍ରତିଷ୍ଠା ଲକ୍ଷ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଷଷ୍ଠ ଦିବସରେ ବାଲେଶ୍ୱର ସହରରେ ଏକ ବିଶାଳ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ରୋଟାରୀ କ୍ଲବ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ଏହି ପଦଯାତ୍ରାର ମୁଖ୍ୟ ବାର୍ତ୍ତା ଥିଲା ସମୃଦ୍ଧି ପାଇଁ ସଚ୍ଚୋଟତା। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଭିଜିଲାନ୍ସ ଏସ୍ପି, ଡିଏସ୍ପିଙ୍କ ସମେତ ଭିଜିଲାନ୍ସ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଏବଂ ସଚେତନ ନାଗରିକମାନେ ସାମିଲ ହୋଇଥିଲେ। ସମସ୍ତେ ଏକତ୍ରିତ ହୋଇ ଦୁର୍ନୀତି ବିରୋଧୀ ସ୍ଲୋଗାନ ଓ ସଚେତନତାର ବାର୍ତ୍ତା ଦେଇ ସହର ପରିକ୍ରମା କରିଥିଲେ। ରୋଟାରୀ କ୍ଲବ ପରିସରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଏଡିଏମ୍ ଛକ, ଫାଣ୍ଡି ଛକ ଓ ଷ୍ଟେସନ୍ ଛକ ଦେଇ ପୁନର୍ବାର ରୋଟାରୀ କ୍ଲବ ନିକଟରେ ପହଞ୍ଚିଥିଲା। ଦୁର୍ନୀତି କେବଳ ଏକ ସାମାଜିକ ବ୍ୟାଧି ନୁହେଁ, ଏହା ଦେଶର ବିକାଶ ଓ ସମୃଦ୍ଧିରେ ମଧ୍ୟ ବାଧକ ସାଜିଥାଏ। ତେଣୁ ଏକ ସୁସ୍ଥ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକ ନିଜ ଜୀବନରେ ସଚ୍ଚୋଟତା, ନୈତିକତା ଓ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଏହି ପଦଯାତ୍ରା ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
