ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ୨୦୨୬ ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ବ
(ଡା:ରମେଶ କୁମାର.ନି:ପ୍ର)
ଭବାନୀପାଟଣା ତା. ୩୦.୧୦.୨୦୨୬ : ଆଜି ଶ୍ରମ ବିଭାଗ, କଳାହାଣ୍ଡି ପକ୍ଷରୁ ଜିଲ୍ଲାବ୍ୟାପୀ ସଚେତନତା ଅଭିଯାନ ‘ପାଲା/ଘୁମୁରା ଅନ୍ ହ୍ୱିଲ୍ସ’ (Pala/Ghumura on Wheels) କାର୍ଯ୍ୟକ୍ରମକୁ ଜିଲ୍ଲାପାଳ କଳାହାଣ୍ଡିଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, କଳାହାଣ୍ଡିର ଅଧିକାରୀ ଓ କର୍ମଚାରୀବୃନ୍ଦ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ରାଜ୍ୟବ୍ୟାପୀ ଚାଲିଥିବା ୪୪ ଦିନିଆ ଅଭିଯାନର ଏକ ଅଂଶ ଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପାଞ୍ଚ ଜଣିଆ ସାଂସ୍କୃତିକ ଦଳ ପ୍ରତ୍ୟେକ ବ୍ଲକ୍ରେ ଦୈନିକ ପାଞ୍ଚଟି ସ୍ଥାନ ପରିଦର୍ଶନ କରିବେ ଏବଂ ପ୍ରତ୍ୟେକ ସ୍ଥାନରେ ୩୦ ମିନିଟ୍ର ଏକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିବେ।
ଏହି ରଥ ସମଗ୍ର ଜିଲ୍ଲା ପରିକ୍ରମା କରି ଶିଶୁ ଶ୍ରମିକ ପ୍ରଥାର ନିବାରଣ ଓ ଉଚ୍ଛେଦ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବା ସହିତ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬ର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବ। ଏହି ଅଭିଯାନର ଅଂଶସ୍ୱରୂପ ସଚେତନତାମୂଳକ ପ୍ରଚାରପତ୍ର ବଣ୍ଟନ କରାଯିବା ସହ ଶିଶୁ ଶ୍ରମିକ ନିୟୋଜନ ନ କରିବା ସମ୍ପର୍କିତ ସ୍ୱ-ଘୋଷଣାନାମା ଥିବା ଷ୍ଟିକର୍ ମଧ୍ୟ ପ୍ରଦର୍ଶନ କରାଯିବ।
