ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଶେରଗଡ଼ରେ ଦୁଇଟି ମୁଖ୍ୟ ରାସ୍ତାରେ ଉପୁଡ଼ିଲା ବିଶାଳ ଗଛ, ଯାତାୟାତ ବାଧାପ୍ରାପ୍ତ ।
ଶେରଗଡ , ୨୮/୧୦/୨୦୨୬ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ଝଡି ବର୍ଷା ଲାଗିରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ପବନ ଯୋଗୁଁ ଅଞ୍ଚଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଶାଳକାୟ ଗଛ ଉପୁଡ଼ି ପଡ଼ିବାରୁ ଦୀର୍ଘ ସମୟ ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ସମ୍ମୁଖ ରାସ୍ତାରେ ଏକ ବରଗଛ ଉପୁଡ଼ି ପଡ଼ିବାରୁ ଡାକ୍ତରଖାନାକୁ ରୋଗୀ ଓ ଆମ୍ବୁଲାନ୍ସ ଯିବାଆସିବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଅନ୍ୟପଟେ ବ୍ୟସ୍ତବହୁଳ ଆସିକା-ଶେରଗଡ଼ ମୁଖ୍ୟ ରାସ୍ତାର ଭୁଶୁଣ୍ଡା ଛକ ନିକଟରେ ମଧ୍ୟ ଏକ ଗଛ ରାସ୍ତା ଉପରେ ପଡ଼ିଯିବାରୁ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା।
ଖବର ପାଇ ଶେରଗଡ଼ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଉଭୟ ଘଟଣାସ୍ଥଳରେ ପହଞ୍ଚି ପାୱାର ସ’ ମେସିନ୍ ସାହାଯ୍ୟରେ ଗଛ କାଟି ରାସ୍ତା ସଫା କରିଥିଲେ। ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ପରିଷ୍କାର ହୋଇ ସ୍ଥିତି ସ୍ୱାଭାବିକ ହୋଇଛି ଏବଂ ଯାନବାହନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଛି। ଅପରପକ୍ଷରେ, ଝଡ଼ବର୍ଷା ଜାରି ରହିଥିବାରୁ ଅତି ଜରୁରୀ କାମ ନଥିଲେ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ଏବଂ ବିପଦପୂର୍ଣ୍ଣ ସ୍ଥାନ ତଥା ପୁରୁଣା ଗଛ ନିକଟରୁ ଦୂରେଇ ରହିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
