ବାଲିଗୁଡ଼ାରେ ବିଜେଡିର ନୂତନ କର୍ମକର୍ତ୍ତାଙ୍କ ସାମ୍ବାଦିକ ସମ୍ମିଳନୀ
ଜନସମସ୍ୟା ଉଠାଇବ ଦଳ, ଆବଶ୍ୟକ ପଡ଼ିଲେ ଜନଆନ୍ଦୋଳନ।
ବାଲିଗୁଡ଼ା, ୨୮/୧୦/୨୦୨୬ (ନି.ପ୍ର.): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ (ବିଜେଡି)ର ନୂତନ କର୍ମକର୍ତ୍ତାଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଦଳର ନୂତନ କର୍ମକର୍ତ୍ତା ଚୟନ କରିଥିବା ବିଜେଡି ସୁପ୍ରିମ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ବାଲିଗୁଡ଼ା ଅଞ୍ଚଳରେ ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ଓ ଜନସାଧାରଣଙ୍କ ସମସ୍ୟାକୁ ନେଇ ଲଢ଼େଇ ଜାରି ରଖିବା ଉପରେ ନେତୃବୃନ୍ଦ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ବାଲିଗୁଡ଼ା ବିଜେଡି ସଭାପତି ଶ୍ରୀ କ୍ଳେଶ ପ୍ରଧାନ ନିଜ ଅଭିମତ ରଖି କହିଥିଲେ ଯେ, ଦଳର ନେତୃତ୍ୱ ତାଙ୍କ ଉପରେ ଯେଉଁ ଦାୟିତ୍ୱ ଅର୍ପଣ କରିଛନ୍ତି, ତାହାକୁ ସେ ନିଷ୍ଠାର ସହ ପାଳନ କରିବେ। ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ବିରୋଧୀ ଦଳ ଭାବେ ସବୁ ସମୟରେ ଓ ସବୁ ସ୍ଥାନରେ ଲୋକଙ୍କ ପାଖରେ ଉପସ୍ଥିତ ରହିବ। ଦଳୀୟ ସଂଗଠନକୁ ମଜବୁତ କରିବା ସହ ଜନସାଧାରଣଙ୍କ ସମସ୍ୟାକୁ ଉପଯୁକ୍ତ ମଞ୍ଚରେ ଉଠାଇବା ଦଳର ପ୍ରମୁଖ ଲକ୍ଷ୍ୟ ବୋଲି ସେ ମତ ଦେଇଥିଲେ। ସେହିପରି ବାଲିଗୁଡ଼ା ଏନ୍ଏସି ସଭାପତି ଶ୍ରୀ ଅମିତ ନାୟକ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟରେ ହୋଇଥିବା କଥିତ ଦୁର୍ନୀତି ଓ ଅନିୟମିତତା ଉପରେ ଦୃଷ୍ଟି ଦେବାକୁ ଦାବି କରିଥିଲେ। ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ଦଳ ଚୁପ୍ ରହିବ ନାହିଁ। ଆବଶ୍ୟକ ପଡ଼ିଲେ ଦଳ ପକ୍ଷରୁ ଜନଆନ୍ଦୋଳନ କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେଡିର ନୂତନ ସାଂଗଠନିକ ଦାୟିତ୍ୱ ପାଇଥିବା କେ. ନୂଆଗାଁ ବ୍ଲକ୍ ସଭାପତି ଶ୍ରୀ ମଦନ ମୋହନ ପ୍ରଧାନ, ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ଶ୍ରୀ କୁନା ଦଣ୍ଡସେନା, କାର୍ଯ୍ୟକାରୀ ସଭାପତି ଶ୍ରୀ ଜହନ ବାରିକ ଏବଂ କୋଟଗଡ଼ କାର୍ଯ୍ୟକାରୀ ସଭାପତି ଶ୍ରୀ ସୋରଜ ବଳିୟାରସିଂ ଉପସ୍ଥିତ ଥିଲେ। ନୂତନ କର୍ମକର୍ତ୍ତାଙ୍କ ଚୟନ ପରେ ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା, କର୍ମୀଙ୍କୁ ଏକଜୁଟ କରିବା ଏବଂ ଅଞ୍ଚଳର ବିଭିନ୍ନ ଜନସମସ୍ୟା ଉପରେ ସ୍ୱର ଉଠାଇବା ଦିଗରେ ବିଜେଡି କିପରି ଆଗକୁ ବଢ଼ୁଛି, ତାହା ଏବେ ରାଜନୈତିକ ମହଲରେ ଗୁରୁତ୍ୱ ବହନ କରୁଛି।
