ମୁଁ ବରୀ କହୁଛି ।
——————–
ଶୌର୍ଯ୍ୟଶାଳିନୀ,ସୌମ୍ୟା,କମନୀୟା ଉତ୍କୃଷ୍ଟ କଳାର କ୍ଷେତ୍ର ମୋ ଉତ୍କଳ ଭୂଇଁ।ଯାହାର ବୁକୁରେ ପ୍ରବାହିତ କେତେ ନଦନଦୀ,ପାହାଡ, ପର୍ବତ,ବଣଜଙ୍ଗଲ ତାକୁ ଶ୍ରୀ ବିମଣ୍ଡିତ କରିଛନ୍ତି ।ଏହି ଉତ୍କଳ ର ସ୍ବତନ୍ତ୍ର ପ୍ରଦେଶ ଗଠନ ସମୟ ରୁ ଦୀର୍ଘ ଦିନ ଧରି ଏଠାରେ 13 ଟି ଜିଲ୍ଲା ରହି ଆସିଥିଲା।ସେହି ତେରଗୋଟି ଜିଲ୍ଲା ମଧ୍ଯ ରେ ଅବିଭକ୍ତ କଟକ ଜିଲ୍ଲାର ଅଂଶ ଭାବେ ପରିଚିତ ଯାଜପୁର ସବ୍ ଡିଭିଜନ ଅନ୍ତର୍ଗତ ମୋର ସ୍ଥିତି।ଏବେ କିନ୍ତୁ ସ୍ବତନ୍ତ୍ର ଭାବେ ଯାଜପୁର ଜିଲ୍ଲାର ଏକ ପ୍ରମୁଖ ଅଞ୍ଚଳ ଭାବେ ମୁଁ ଅତି ଜଣାଶୁଣା ସମଗ୍ର ରାଜ୍ୟରେ ।ମୋ ବୁକୁ ରେ ପ୍ରବାହିତ ବ୍ରାହ୍ମଣୀ ନଦୀ,ପୂର୍ବ ରେ ଖରସ୍ରୋତା ନଦୀ,ଓ ଦକ୍ଷିଣ ରେ ବିରୂପା ନଦୀ ।ଏହି ନଦୀମାନେ ଆଷାଢ ରେ ପ୍ରଗଳ୍ଭା ପାଲଟି ଯାଆନ୍ତି।ବନ୍ୟା ଜଳରେ ପ୍ଳାବିତ ହୁଏ ମୋ ସାରା ଶରୀର।ଅକଥନୀୟ ଯନ୍ତ୍ରଣାର ଶୀକାର ହୁଅନ୍ତି ମୋର ସନ୍ତାନ। ମୁଁ ସଦା ବନ୍ୟା ପ୍ଳାବିତ, ବାତ୍ୟା ଆକ୍ରାନ୍ତିତ ଅଞ୍ଚଳ ଭାବେ ଖ୍ୟାତ। ମୋ ମାଟିର ଜନସଂଖ୍ୟା ଆଜି ପ୍ରାୟ ଏକ ଲକ୍ଷ ନବେ ହଜାର। ଅନେକ ଧର୍ମ, ଅନେକ ଜାତି ଓ ବର୍ଣ୍ଣ ର ବ୍ଯକ୍ତି ମୋର ସନ୍ତାନ। ଅଧିକାଂଶ କୃଷିଜୀବୀ।ବହୁତ ଉଚ୍ଚଶିକ୍ଷିତ ହୋଇ ବିଦେଶ ରେ ,ବାହାର ରାଜ୍ୟରେ ଅବସ୍ଥାପିତ। କେବେ କେବେ ନିରବ ରେ ମୁଁ ମୋର ଅତୀତ କୁ ଝାପ୍ସା ଭାବେ ଦେଖେ,ପବନ ଆଗ ରେ କହେ।ସିଏ ମୋ କଥା ଶୁଣେ।ତା ସାଇଁ ସାଇଁ ଶବ୍ଦ ରେ ପ୍ରତ୍ୟୁତ୍ତର କରେ ।ଆଜି ସୁଯୋଗ ମିଳିଛି ଦି ପଦ ମନଖୋଲି କହିଦେବି ତୁମ ଆଗରେ।
ଇତିହାସ କହେ କେଶରୀ ବଂଶର ଖ୍ୟାତିସମ୍ପନ୍ନ ସମ୍ରାଟ ଯଯାତି କେଶରୀଙ୍କ ସ୍ବାଗତ ବନ୍ଦାପନା ,ଓ ବରଣ ମୋ ବୁକୁ ରେ କରାଯାଇ ଥିବାରୁ ମୋ ନାଁ ବରୀ ହୋଇଅଛି ।
ସତରେ କେତେ ପୂଣ୍ଯବତୀ ମୋ ମାଟି।ଖାଲି ସେତିକି ନୁହେଁ ପରାଧୀନ ଭାରତ କୁ ଇଂରେଜ ଶାସନ ମୁକ୍ତ କରିବାକୁ ଚାଲିଥିବା ସ୍ଵାଧୀନତା ସଂଗ୍ରାମ ରେ ମୋ କୋଳ ସମ୍ଭୂତ ବୀର ସଂଗ୍ରାମୀ ମାନଙ୍କ ର ଭୂମିକା ଅତି ପ୍ରଶଂସନୀୟ।ମୁଁ ସେଦିନ ଦେଖିଛି ସେ ରକ୍ତାକ୍ତ ସକାଳ କୁ।ମନେ ପଡେ ସନ1942,ଅଗଷ୍ଟ ମାସ 22 ତାରିଖ କଥା। ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ ଡାକରା ରେ ଉଦ୍ ବୁଦ୍ଧ ଜନତା ।କଳାମାଟିଆ ,ଯେଉଁଠି ଥିଲା ସରକାରୀ ଡାକଘର। ପ୍ରତିକ୍ରିୟା ସ୍ୱରୂପ ଉତ୍ୟକ୍ତ ସଂଗ୍ରାମୀ ମାନେ ସେଥିରେ ଅଗ୍ନି ସଂଯୋଗ କରିଦେଲେ।ଫଳତଃ ତୀବ୍ର ଆନ୍ଦୋଳନ କୁ ରୋକିବା ଲାଗି ଇଂରେଜ ଶାସକ ଙ୍କ ନିର୍ଦ୍ଦେଶ ରେ ଜିଲ୍ଲାପାଳ ମୁସାବ ଖାଁଙ୍କ ନେତୃତ୍ବ ରେ ପହଞ୍ଚିଗଲେ ବନ୍ଧୁକ ଧାରୀ ସେନାନୀ।କଳାମାଟିଆ ର ସେ ବିସ୍ତୀର୍ଣ୍ଣ ଶସ୍ଯ କ୍ଷେତ୍ର, ଚାରିଆଡ ସୁଉଚ୍ଚ କିଆ ବୁଦା।ଇଂରେଜ ସେନାନୀ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ଏପଟେ ସମ୍ମୁଖ ରେ ନିରସ୍ତ୍ର ଜନତା।ନିର୍ମମ ଆଦେଶ। ସଂଗ୍ରାମୀ ମାନଙ୍କ ଉପରେ ହେଲା ଗୁଳି ଚାଳନା।ଟଳିପଡିଲେ ମୋ ମାଟିର ଚାରିଜଣ ନିରୀହ ବୀର ସଂଗ୍ରାମୀ।ଶ୍ରୀରାମ ପୁର ର ସାଉଁଟି ମଳିକ,କୃଷ୍ଣ ନଗର ଗାଁ ର ସାନନ୍ଦ ସ୍ଵାଇଁ,ହାଟସାହି ଗାଁ ର ମାୟାଧର ଭୂୟାଁ,ଏବଂ ହାଡିବନ୍ଧୁ ପଣ୍ଡା।ମୁଁ ସେଦିନ ଦେଖି ଦେଖି ସ୍ତବ୍ଧ ହୋଇ ଯାଇଥିଲି। ସେହି ବୀର ଶହୀଦ ମାନଙ୍କ ର ରକ୍ତ ଭିଜା ମାଟି ରେ ଆଜି ତାଙ୍କର ସ୍ମାରକୀ ସ୍ବରୂପ ଦଣ୍ଡାୟମାନ ହୋଇଛି ସୁଉଚ୍ଚ ଶହୀଦ ସ୍ତମ୍ଭ। ସେହି କଳାମାଟିଆ ଡାକଘର ପୋଡି ଘଟଣାରେ ରମ୍ପା ଗ୍ରାମ ର ସ୍ୱର୍ଗତ ଭଗୀରଥ ଦାସ ଙ୍କୁ କାରାବରଣ କରିବାକୁ ପଡିଥିଲା।ବରୀ ମାଉଣ୍ଟ ଠାରେ ସେ ସମୟରେ ଆକାଶ ମାର୍ଗ ରୁ ଗୁଳି ଗୋଳା ବର୍ଷଣ ହୋଇ ଥିବା କଥା ଇତିହାସ କହେ।ସେହି 1942 ମସିହାରେ ମୋ ମାଟିର ଅନ୍ୟତମ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ରଘୁନାଥ ନାୟକ, ରେଭେନ୍ସା ମହାବିଦ୍ୟାଳୟରେ ଛାତ୍ର ଥିବା ଅବସ୍ଥା ରେ ଗାନ୍ଧୀଙ୍କ ଡାକରା ରେ ଉଦ୍ ବୁଦ୍ଧ ହୋଇ ଆନ୍ଦୋଳନ ରେ ଯୋଗଦାନ କରିଥିଲେ।ଫଳ ସ୍ୱରୂପ ତାଙ୍କୁ ବ୍ରହ୍ମପୁର କାରାଗାର ରେ ଜେଲଦଣ୍ଡ ଭୋଗିବାକୁ ପଡିଥିଲା। ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ଯିଏ ପରବର୍ତ୍ତି ସମୟରେ ଅଧ୍ୟାପକ ଭାବେ କର୍ମ ରତ ଥିଲେ ।ଏମାନଙ୍କ ବ୍ୟତୀତ ଅନେକ ସ୍ଵତନ୍ତ୍ରତା ସଂଗ୍ରାମୀ ମାନଙ୍କ ର ତ୍ୟାଗ ,ବଳିଦାନ ଏ ମାଟି ରେ ମୁଁ ଦେଖିଆସିଛି।ସମସ୍ତଙ୍କ ସ୍ମୃତିଚାରଣ କରିବା ସମ୍ଭବ ପର ନୁହେଁ।ତଥାପି ସେମାନଙ୍କ ପାଇଁ ମୋ ମାଟି ଗୌରବ ଶାଳିନୀ।ସନ 1921 ମସିହାର କଥା।ମହାତ୍ମାଗାନ୍ଧୀଙ୍କ ର ହୁଏ ଓଡ଼ିଶା ଆଗମନ। କଟକ କିଲ୍ଲାପଡିଆ ରେ ସଭା ହୁଏ। ତା ପରେ ମା’ ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ଆହ୍ଵାନ କ୍ରମେ ମହାତ୍ମାଗାନ୍ଧୀଙ୍କ ର ପଦଯାତ୍ରାର ଆରମ୍ଭ ହୁଏ ବରୀ ମାଉଣ୍ଟ ଠାରୁ କାଇପଡା ଶହୀଦ କ୍ଷେତ୍ର ଯାଏ। ଆଜି ଯେଉଁ ରାସ୍ତାର ନାମ ଗାନ୍ଧୀଙ୍କ ନାମରେ ନାମିତ। ଏ ମାଟି ଗୌରବ ମୟୀ ଐତିହାସିକ ମାଟି।ମୁଁ ସଦା ଏଥିପାଇଁ ଗର୍ବ ଅନୁଭବ କରେ।
ମୋ ମାଟିର ଐତିହ୍ୟ ସହିତ ଯୋଡି ହୋଇ ରହିଛି ସାହିତ୍ୟ,ସଂସ୍କୃତି,କଳା,କ୍ରୀଡା ,ସଂଗୀତ ,ସଂଗଠନ ର କେତେ ପୃଷ୍ଠା।ଏଇ ମାଟିରେ ଅଷ୍ଟାଦଶ ଶତାବ୍ଦୀର ଶ୍ରେଷ୍ଠ ରୀତିଯୁଗୀୟ କବି ଅଭିମନ୍ୟୁ ସାମନ୍ତସିଂହାର ବାଲିଆ ଗ୍ରାମ ରେ ଜନ୍ମ ଲାଭ କରି ରଚି ଦେଇ ଗଲେ ଅମ୍ଳାନ ବିଦଗ୍ଧ କାବ୍ୟ ଶ୍ରୀରାଧାକୃଷ୍ଣ ଙ୍କ ପ୍ରେମର ଜାଜୁଲ୍ୟମାନ କିର୍ତ୍ତୀସ୍ତମ୍ଭ ‘ବିଦଗ୍ଧ ଚିନ୍ତାମଣି ‘ ଯାହା ଅପ୍ରାକୃତ ପ୍ରେମର ବାର୍ତ୍ତା ବହନ କରି ଆସୁଅଛି।ଏଇ ମାଟିର ଦେଶପ୍ରମୀ କବି ବାଞ୍ଛାନିଧି ଦାସ ଙ୍କ ଅମ୍ଳାନ କିର୍ତ୍ତୀ ଏବେବି ଜୀବିତ। ମୋ ମାଟିରେ ଜନ୍ମ ନେଇ ଛନ୍ତି ଅନେକ ବିଜ୍ଞ,ପ୍ରାଜ୍ଞ, ସାଧକ,ସଂଗ୍ରାମୀ,ସଂଗଠକ,ରାଜନୀତିଜ୍ଞ। ଭିନ୍ନ ଭିନ୍ନ ସମୟ ରେ ନିଜ ଅମୀୟ କିର୍ତ୍ତୀ ରେ ମୋତେ କରିଯାଇ ଛନ୍ତି ଯଶସ୍ୱୀ।ମୁଁ ପାଇଛି ମୋ କୋଳରେ ଅନେକ ସଂଗୀତ କାର,କଳାକାର, ଅଭିନେତାଙ୍କୁ।ଯେଉଁମାନେ ମୋର ଗର୍ବ ଓ ଗୌରବ। ଏହି ପରିପ୍ରେକ୍ଷୀ ରେ ମୋ ସ୍ମୃତି ରେ ଆସନ୍ତି ଯାଦବ ମହାସଂଘ ର ଜଣେ ଛାମୁଆ କର୍ମୀ ସ୍ବର୍ଗତ ଭୀମସେନ ଦାସ। ଜଣେ ବଳିଷ୍ଠ ଶିକ୍ଷକ ନେତା ଓ ଦୃଢ ସଂଗଠକ।ସେବା ,କର୍ତ୍ତବ୍ଯ ନିଷ୍ଠ ଉଦ୍ୟମ କ୍ଷେତ୍ର ରେ ମୋ ମାଟି ବି ପଛୁଆ ନୁହେଁ।ମାଆ ରମାଦେବୀଙ୍କ ହାତ ର ସ୍ପର୍ଶ ରେ ବରୀ ମାଉଣ୍ଟ ନିକଟ ରେ ଗଢି ଉଠିଥିଲା ଏକ କୁଷ୍ଠାଶ୍ରମ। ପୁନଶ୍ଚ ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଦ୍ବାରା ପ୍ରତିଷ୍ଠିତ ଆଶ୍ରମ ଯାହା ମୌଳିକ ଶିକ୍ଷାର ପ୍ରସାର କରିଥିଲା ଏ ଅଞ୍ଚଳରେ।ମହୁଚାଷ ପାଇଁ ମୋର ଥିଲା ଏକ ସ୍ଵତନ୍ତ୍ର ପରିଚୟ ସମଗ୍ର ଜିଲ୍ଲାରେ।ଏହା ତାଙ୍କର ସ୍ୱାବଲମ୍ବୀ ହେବା ଲାଗି ଏକ ପ୍ରେରଣାର ଉତ୍ସ ଥିଲା।ମୋ ଇତିହାସ ର ଆଉ ଏକ ବଳିଷ୍ଠ ପୃଷ୍ଠା ,ବହୁ ପ୍ରାଚୀନ ବୌଦ୍ଧ ଧର୍ମ ପ୍ରତିଷ୍ଠିତ ରତ୍ନ ଗିରି ସହ ଜଡିତ। ମୁଁ ଦେଖିଛି ଷଷ୍ଠ ଶତାବ୍ଦୀର ଗୁପ୍ତ ସାମ୍ରାଜ୍ୟର ରାଜା ନରସିଂହ ଗୁପ୍ତ (ବାଳାଦିତ୍ୟ)ଙ୍କୁ।ବୌଦ୍ଧ ଧର୍ମ ର ଏକ ଶାଖା ବଜ୍ର ଯାନ(ତନ୍ତ୍ର ସାଧନା ସହ ଜଡ଼ିତ),ଓ ମହାଯାନର ପ୍ରଚାର ପ୍ରସାର ଉଦ୍ଦେଶ୍ଯ ରେ ଏଠାରେ ନିର୍ମାଣ କରିଥିଲେ ବହୁତ ବୌଦ୍ଧ ବିହାର ଓ ସ୍ତୂପ। ଇତିହାସ କହେ ଅଷ୍ଟାଦଶ ଶତାବ୍ଦୀରୁ ଦ୍ଵାଦଶ ଶତାବ୍ଦୀ ଯାଏଁ ବୌଦ୍ଧ ଧର୍ମର ବଜ୍ରଯାନ ଶାଖାର ପ୍ରଚାର ପାଇଁ ସମ୍ରାଟ ସମସ୍ତ ପଦକ୍ଷେପ ନେଇ ଥିଲେ।ପ୍ରାୟତଃ ତ୍ରୟୋଦଶ ଶତାବ୍ଦୀ ଯାଏ ବଞ୍ଚି ରହିଥିଲା ଏହି କ୍ଷେତ୍ର ର ଗାରିମା ।ପରବର୍ତ୍ତୀ ପର୍ଯ୍ୟାୟରେ କାଳର କରାଳ ଗର୍ଭ ରେ ଲୀନ ହୋଇ ଗଲା ଏହାର ଅସ୍ତିତ୍ବ। ଏବେ ସରକାରଙ୍କ ଦ୍ବାରା ଉତ୍ଖନନ ପରେ ଛିଡା ହୋଇ ରହିଛି ତାର ଭଗ୍ନ ସ୍ତୂପ। ଅନେକ ବୌଦ୍ଧ ମୂର୍ତ୍ତି,ଓ ତାହାର ଭଗ୍ନାବଶେଷ। ପାଲଟି ଯାଇଛି ଏକ ମନଲୋଭା ପର୍ଯ୍ଯଟନ ସ୍ଥଳୀ।ଏହାର ଅନତିଦୂର ରେ ଅବସ୍ଥିତ ଉଦୟଗିରି ଓ ଲଳିତ ଗିରି ରେ ଅନେକ ଐତିହାସିକ ତଥ୍ଯ ଏବେ ବି ଲୁକ୍କାୟିତ।
ମୋର ଚତୁଃପାର୍ଶ୍ଵ ରେ ଥିବା ଅଞ୍ଚଳ ଭିତରେ ରହିଛି ବିଞ୍ଝାରପୁର, ଇନ୍ଦୁପୁର, ବାଲିଚନ୍ଦ୍ରପୁର, ଆଦି ପ୍ରମୁଖ ସ୍ଥାନ। ମୋ କୋଳ ରେ ବହୁ ପର୍ବ ପର୍ବାଣୀ ପାଳିତ ହୋଇ ଭାଇ ଚାରା ର ପ୍ରମାଣ ଦର୍ଶାଇ ଥାଏ। ଏଠି ପାଳିତ ହୁଏ, ପାର୍ବଣ, ଦୋଳ ମେଳଣ,ଝୁଲଣ ଯାତ୍ରା,ପୁଣି ତା ସାଥିରେ ମହରମ୍, ଇଦ୍।ଏଠି ସବୁର ସମନ୍ବୟ ନିଆରା ପରମ୍ପରା ବହନ କରିଥାଏ। ଅନେକ ବିବିଧତା ଭିତରେ ମୁଁ ଐତିହ୍ୟ ସମ୍ପନ୍ନ। ଆଜି ସମୟ ବଦଳିଛି।ବଦଳି ଯାଇଛି ବ୍ଯକ୍ତି ବିଶେଷଙ୍କ ର ମାନସିକତା।ଅନେକ ସମୟ ରେ ନଷ୍ଟ ରାଜନୈତିକ ଚିନ୍ତାଧାରାର ସଂକୀର୍ଣ୍ଣ ଭାବଧାରା ମୋ ସନ୍ତାନ ମାନଙ୍କ ଠାରେ ଦେଖି ମୁଁ ବ୍ୟଥିତ ମର୍ମାହତ ହୋଇଥାଏ।ଅତୀତ ସହିତ ବର୍ତ୍ତମାନ କୁ ତୁଳନା କରେ ନିରବରେ।କେତେ ଘାତପ୍ରତିଘାତର ଶୀକାର ହୋଇ ତଥାପି ମୁଁ ନିର୍ବିକାର,ସ୍ଥିର,ଅବିଚଳିତ।
ମୁଁ ମୋର ସମସ୍ତ ସନ୍ତାନ ଙ୍କୁ ଭଲପାଏ। ବହୁତ କଥା ବ୍ୟଥା ରେ ଲେଖା ମୋର ଇତିବୃତ୍ତି।କିୟଦାଂଶ ମୁଁ ଆଜି କହିଛି।ଆହୁରି ଅନେକ କଥା ବାକି ରହିଗଲା।ସୁଯୋଗ ମିଳିଲେ ହୁଏ ତ କହିବି।ପ୍ରତୀକ୍ଷା କେବଳ ସମୟ କୁ।ଏତିକି ଶେଷ ରେ କହିବି,”ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟା,ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍।”
ଶ୍ରୀ ହରେଶ କୁମାର ଦାସ ବରୀ।
ଶାରୀରିକ ଶିକ୍ଷା ଶିକ୍ଷକ ବ୍ରଜସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟ ସାୟେଦପୁର ବିଞ୍ଜରପୁର
