ପୂଜ୍ୟପୂଜା ସଂସଦର ସଚେତନତା କାର୍ଯ୍ୟକ୍ରମ, ସବ୍ ଜେଲ୍ ଅନ୍ତେବାସୀଙ୍କୁ ଭଗବତ ଗୀତା ପ୍ରଦାନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ବ୍ଲକ ରେଓଦା ସ୍ଥିତ ପୂଜ୍ୟପୂଜା ସଂସଦ ସେବା ସଙ୍ଗଠନ ପକ୍ଷରୁ ସୋର ସବ୍-ଜେଲ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜେଲ ସୁପରିଟେଣ୍ଡେଣ୍ଟ ଶ୍ରୀ କାଳିନ୍ଦୀ ଚରଣ ନାୟକ ଓ ସଙ୍ଗଠନର ସଭାପତି ଶ୍ରୀ ଅକ୍ଷୟ କୁମାର କରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସାଧାରଣ ସଭାରେ ବକ୍ତାମାନେ ଅପରାଧ ପ୍ରବଣତାର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ ପଦ୍ମଲୋଚନ ଦ୍ୱିବେଦୀ, ସୋର ନାଗରିକ ମଞ୍ଚର ସମ୍ପାଦକ ଅଧ୍ୟାପକ ଉଦ୍ଧବ ଚରଣ ବିଶ୍ୱାଳ ଏବଂ ସାରସ୍ୱତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀ ହରିହର ଦାସ, ଶ୍ରୀ ଯୁକ୍ତ ମିହିର ପାଣି ପ୍ରମୁଖ ଯୋଗଦେଇ କହିଥିଲେ – ସାମାଜିକ ବିଶୃଙ୍ଖଳା, ବିକୃତ ମାନସିକତା, ପିତାମାତାଙ୍କ ପ୍ରତି ବିଦ୍ୱେଷ ଭାବ, ପରିବାର ପ୍ରତି ଦାୟିତ୍ୱହୀନତା ଓ କର୍ମବିମୁଖତା ହିଁ ଅପରାଧର ମୁଖ୍ୟ କାରଣ। ଏହା ରାଷ୍ଟ୍ର ଗଠନରେ ବଡ଼ ବାଧକ ସାଜିଛି। ମଣିଷ ଜନ୍ମରୁ ଅପରାଧୀ ନୁହେଁ, ପରିସ୍ଥିତି ତାକୁ ଅପରାଧ କରିବାକୁ ବାଧ୍ୟ କରେ। ତେଣୁ ଅସାମାଜିକ କାର୍ଯ୍ୟରୁ ଦୂରେଇ ରହି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେମାନେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସଙ୍ଗଠନ ପକ୍ଷରୁ ଜେଲ ଅନ୍ତେବାସୀମାନଙ୍କୁ ମୃଦଙ୍ଗ, ଝାଞ୍ଜ, କରତାଳ ଏବଂ ଶ୍ରୀମଦ ଭଗବତ ଗୀତା ବହି ପ୍ରଦାନ କରାଯାଇଥିଲା ଏବଂ ପ୍ରତି ସନ୍ଧ୍ୟାରେ ଭାଗବତ ପାଠ କରିବାକୁ ଅନୁରୋଧ କରାଯାଇଥିଲା।
