(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର )
କୋକସରା: ବେହେରାସ୍ଥିତ ଭଣ୍ଡାର ଡଙ୍ଗରି ଉପରୁ ଆଜି ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଦ୍ୱୟ ହେଲେ କୋକସରା ଥାନା ଅନ୍ତର୍ଗତ ତେଣ୍ଡାପାଲି ଗ୍ରାମର ଅଜିତ କୁମାର ନାଏକ ଓ ଧର୍ମଗଡ଼ ସହରର କେନ୍ଦୁମୁଡ଼ିପଡ଼ାର ପ୍ରିୟଦର୍ଶିନୀ ନାଏକ। ଘଟଣାଟିକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା, ତାହାକୁ ନେଇ ସନ୍ଦେହ ଦେଖାଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଅଜିତ ଓ ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଗତ ଦୁର୍ଗାପୂଜା ସମୟରେ ଅକ୍ଟୋବର ୧୭ ତାରିଖ ରାତିରୁ ଉଭୟ ନିଖୋଜ ହୋଇଯାଇଥିଲେ। ଏନେଇ ଉଭୟଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା।
ଆଜି ସକାଳେ କିଛି ଲୋକ କାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିବା ସମୟରେ ଭଣ୍ଡାର ଡଙ୍ଗରି ଉପରେ ଦୁଇଟି ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ମୃତଦେହ ଦୁଇଟି ପଚିଯାଇଥିବା ବେଳେ ପରେ ଉଭୟ ପରିବାରର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଥିଲେ।
ମୃତଦେହରେ ରକ୍ତ ଦାଗ ଥିବା ଏବଂ ଉଭୟଙ୍କ ହାତ ପଛପଟେ ବନ୍ଧା ହୋଇଥିବା ନେଇ ମୃତ ଅଜିତଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏଭଳି ସ୍ଥିତିରେ ଉଭୟ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିବା ସହ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅଭିଯୋଗ ଉଠାଇଛନ୍ତି।
ଅଜିତଙ୍କ ପରିବାର ପକ୍ଷରୁ ଏହି ଘଟଣାରେ ପ୍ରିୟଦର୍ଶିନୀଙ୍କ ପରିବାର ଉପରେ ସନ୍ଦେହ ପ୍ରକାଶ କରାଯାଇଛି। ଘଟଣା ପୂର୍ବରୁ ଏବଂ ପରେ ପ୍ରିୟଦର୍ଶିନୀଙ୍କ ପରିବାର ପକ୍ଷରୁ ଅଜିତଙ୍କ ପରିବାରକୁ ଧମକ ଦିଆଯାଉଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା।
ଖବର ପାଇ ଧର୍ମଗଡ଼ ଏସ୍ଡିପିଓ, କୋକସରା ଥାନା ଆଇଆଇସି, ପୋଲିସ ଟିମ୍ ଏବଂ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରେମ ସମ୍ପର୍କକୁ ନେଇ ଏହି ମୃତ୍ୟୁ ଘଟିଛି କି ନାହିଁ, ଏବଂ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପୋଲିସର ତଦନ୍ତ ଓ ଆବଶ୍ୟକ ଫରେନ୍ସିକ୍ ରିପୋର୍ଟ ପରେ ହିଁ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।
