*ମହାଆଡ଼ମ୍ବରରେ ସମାପନ ହେଲା ଦୁର୍ଗାପୂଜା ଓ ରାବଣପୋଡ଼ି ଉତ୍ସବ*
*ଆକର୍ଷଣୀୟ ତୋରଣ ଓ ସେଲ୍ଫି ପଏଣ୍ଟ ପାଲଟିଲା ମୁଖ୍ୟ ଆକର୍ଷଣ, ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ନେଲେ ରାଜନେତା*
*ମୋରଡ଼ା, (ଭଞ୍ଜଦୂତ):* ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳ ସମ୍ପୂର୍ଣ୍ଣ ଭକ୍ତିମୟ ଓ ଉତ୍ସବମୁଖର ହୋଇ ଉଠିଥିଲା। ଗତ କିଛି ଦିନ ଧରି ଚାଲିଥିବା ମା’ ଦୁର୍ଗାଙ୍କ ପୂଜା ମହାଆଡ଼ମ୍ବରରେ ସମାପନ ହୋଇଛି। ମା’ଙ୍କ ଆଗମନରେ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଭକ୍ତିର ମାହୋଲ ଦେଖିବାକୁ ମିଳିଥିଲା।
ବ୍ଲକର ପ୍ରମୁଖ ସ୍ଥାନ ମୋରଡ଼ା, ମାଳିହତା, ତଳଚୁଆ, ଧାନସୋଳ ସମେତ ବିଭିନ୍ନ ଛକରେ ସୁସଜ୍ଜିତ ପୂଜା ମଣ୍ଡପ ନିର୍ମାଣ କରାଯାଇଥିଲା। ପ୍ରତ୍ୟେକ ମଣ୍ଡପରେ ଆକର୍ଷଣୀୟ ତୋରଣ ଓ ରଙ୍ଗ ବେରଙ୍ଗ ଆଲୋକମାଳା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥିଲା। ବିଶେଷ କରି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ମଣ୍ଡପ ନିକଟରେ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଥିଲା ଯାହା ଏବେ ମୁଖ୍ୟ ଆକର୍ଷଣ ପାଲଟିଥିଲା। ଫଟୋ ଓ ଭିଡିଓ ଉଠାଇବା ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା।
*ମହାଷ୍ଟମୀରେ ସନ୍ଧିପୂଜାର ବିଶେଷ ମହତ୍ତ୍ୱ:*
ମହାଷ୍ଟମୀ ଅବସରରେ ସକାଳୁ ବିଭିନ୍ନ ମଣ୍ଡପରେ ମା’ଙ୍କ ସ୍ୱତନ୍ତ୍ର ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିଲା। ଅପରାହ୍ନରେ ସନ୍ଧିପୂଜା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ମା’ଙ୍କ ମହାଆଳତି ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଢାକର ବାଦ୍ୟ, ଶଙ୍ଖ ଧ୍ୱନୀ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ।
*ରାଜନେତାଙ୍କ ଭିଡ଼:*
ଦୁର୍ଗାପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଆଗମନ ଦେଖିବାକୁ ମିଳିଥିଲା। ମୋରଡ଼ା ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ର, ବିଜେଡିର ପୂର୍ବତନ ବିଧାୟକ ରାଜକିଶୋର ଦାସ, ସମାଜସେବୀ ତରୁଣ କୁମାର ଦେ, ବିଜେଡିର ବରିଷ୍ଠ ନେତା ଦେବାଶିଷ ମହାନ୍ତି, ସଂଜୀବ ରାଉତ ଓ ଜେଏମଏମ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ବିଭିନ୍ନ ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ନେଇଥିଲେ ଓ ଅଞ୍ଚଳର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।
*ମାଳିହତାରେ ରାବଣପୋଡ଼ି ଉତ୍ସବ:*
ଦଶହରାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ମାଳିହତା ରାବଣପୋଡ଼ି ଉତ୍ସବ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମାଳିହତା ଦୁର୍ଗାପୂଜା କମିଟି ପକ୍ଷରୁ ମାଳିହତା ପଡ଼ିଆରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ଭାବେ ରାବଣ ପୁତ୍ତଳିକା ଦାହ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କମିଟିର ସମସ୍ତ କର୍ମକର୍ତ୍ତା ଏହି ଉତ୍ସବକୁ ସରଳ ଓ ନିରାଡ଼ମ୍ବର ଭାବେ ସଫଳ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ।
ସମଗ୍ର ଦୁର୍ଗାପୂଜା ଓ ରାବଣପୋଡ଼ିକୁ ନେଇ ମୋରଡ଼ା ଅଞ୍ଚଳରେ ଦଶହରାର ଉତ୍ସାହ ଓ ଆନ୍ଦ ଭରି ରହିଥିଲା।
*ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ସହ ଶୁଭାଶିଷ ଚ଼ୌଧୂରୀଙ୍କ ରିପୋର୍ଟ, ଭଞ୍ଜଦୂତ ଖବର*
