ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ : ମାତ୍ର ୮ ଜଣଙ୍କ ସ୍ଥାନରେ ବସିଥିଲେ ୨୭ ସ୍କୁଲ ପିଲା, ଡ୍ରାଇଭର ଓ ଗାଡ଼ି ଆଇଆଇସିଙ୍କୁ ହସ୍ତାନ୍ତର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସ୍କୁଲ ପିଲାଙ୍କ ଜୀବନ ସହ ଖେଳ ଖେଳୁଥିବା ଏକ ଅଟୋକୁ ସୋର ଅଞ୍ଚଳରେ ସୋର ତହସିଲଦାର କୃଷ୍ଣ ମୋହନ ସିଂହ ଜବତ କରିଛନ୍ତି। ମାତ୍ର ୮ ଜଣ ଯାତ୍ରୀଙ୍କ ବସିବା କ୍ଷମତା ଥିବା ଏକ ଅଟୋରେ ବେଆଇନ ଭାବେ ୨୭ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ନିଆଯାଉଥିବା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଅଟୋଟି (ଓ ଆର୍ ୨୨ ଇ ୪୦୧୩ ) ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାଗୁଡ଼ି ପଞ୍ଚାୟତର ମହୁମୁହାଣରେ ଥିବା ‘ବିବେକାନନ୍ଦ ଶିକ୍ଷା କେନ୍ଦ୍ର’ର ଛାତ୍ରଛାତ୍ରୀଙ୍କୁ ଲଦା ଲଦି କରି ବୋହି ନେଉଥିଲା। ପିଲାମାନଙ୍କୁ ସ୍କୁଲରେ ଛାଡ଼ିବା ପରେ ଗାଡ଼ିଟିକୁ ଅଟକାଇ ସୋର ତହସିଲଦାର କୃଷ୍ଣ ମୋହନ ସିଂହ ଜବତ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଅଟୋ ଚଲାଉଥିବା ଡ୍ରାଇଭରଙ୍କ ପାଖରେ କୌଣସି ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲା।ବର୍ତ୍ତମାନ ଉକ୍ତ ବେଆଇନ ଗାଡ଼ି ଏବଂ ତାହାର ଡ୍ରାଇଭର ଉଭୟଙ୍କୁ ସୋର ଥାନା ଅଧିକାରୀ ଙ୍କୁ ତହସିଲଦାର ହସ୍ତାନ୍ତର କରିଛନ୍ତି। ବିନା ଲାଇସେନ୍ସରେ ଏବଂ କ୍ଷମତା ଠାରୁ ତିନି ଗୁଣାରୁ ଅଧିକ ଓଭରଲୋଡିଂ କରି କୁନି କୁନି ପିଲାମାନଙ୍କୁ ନେବା ଆଣିବା କରୁଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି। ପୋଲିସ ପକ୍ଷରୁ ଏହି ଘଟଣାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।
