କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ନାମଲେଖା ଅଭିଯାନ ଶେଷ, ୧୫୨୪ଟି ଫର୍ମ-୬ ଦାଖଲ
କୋରାପୁଟ, ୧୦ ଅକ୍ଟୋବର: କୋରାପୁଟ ଜିଲ୍ଲାରେ ଗତ ୭ ଅକ୍ଟୋବରରୁ ଆରମ୍ଭ ହୋଇଥିବା ତିନିଦିନିଆ ସ୍ୱତନ୍ତ୍ର ଭୋଟର ନାମଲେଖା ଅଭିଯାନ ଆଜି ଶେଷ ହୋଇଛି। ୦୧.୧୦.୨୦୨୬କୁ ଯୋଗ୍ୟତା ନିର୍ଦ୍ଧାରଣ ତାରିଖ ଭାବେ ଗ୍ରହଣ କରି ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନୂତନ ଓ ଯୁବ ଭୋଟରଙ୍କ ସମେତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ନାମ ପଞ୍ଜୀକରଣ ପାଇଁ ଏହି ଅଭିଯାନ ଆୟୋଜିତ ହୋଇଥିଲା। ଅଭିଯାନ ସମୟରେ ମୋଟ ୧୫୨୪ଟି ଫର୍ମ-୬ ଦାଖଲ ହୋଇଛି।
ନିର୍ବାଚନମଣ୍ଡଳୀ ଅନୁଯାୟୀ ଦାଖଲ ହୋଇଥିବା ଫର୍ମ-୬ର ବିବରଣୀ ନିମ୍ନରେ ଦିଆଗଲା।
୧. ୧୪୧–ଲକ୍ଷ୍ମୀପୁର: ୧୪୮ଟି
୨. ୧୪୨–କୋଟପାଡ଼: ୩୮୯ଟି
୩. ୧୪୩–ଜୟପୁର: ୫୦୯ଟି
୪. ୧୪୪–କୋରାପୁଟ: ୨୦୬ଟି
୫. ୧୪୫–ପଟ୍ଟାଙ୍ଗୀ: ୨୭୨ଟି
ମୋଟ: ୧୫୨୪ଟି ଫର୍ମ-୬।
ନୂତନ ଓ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ଜିଲ୍ଲାର ବିଭିନ୍ନ ପୋଲିଂ ଷ୍ଟେସନ ଓ କଲେଜରେ ସ୍ୱତନ୍ତ୍ର ନାମଲେଖା ଶିବିର ଆୟୋଜନ କରାଯାଇଥିଲା। ଏଥିସହିତ, SIR–୨୦୨୬ ଅନ୍ତର୍ଗତ ଡ୍ରାଫ୍ଟ ଓ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ସମୟରେ ଚିହ୍ନଟ ହୋଇଥିବା ASDD (ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ ଓ ଦ୍ୱିଗୁଣିତ ଭୋଟର) ତାଲିକାକୁ ବିଭିନ୍ନ ରାଜନୈତିକ ଦଳର ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ଙ୍କ ଉପସ୍ଥିତିରେ ପୋଲିଂ ଷ୍ଟେସନଗୁଡ଼ିକରେ ପୁନଃ ଯାଞ୍ଚ କରାଯାଇଥିଲା।
ଜିଲ୍ଲାର କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ଏହି ଅଭିଯାନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ, ନୂତନ ଓ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଉତ୍ସାହିତ କରାଯାଇଥିଲା।
ସ୍ୱତନ୍ତ୍ର ଅଭିଯାନ ଶେଷ ହୋଇଥିଲେ ମଧ୍ୟ ଭୋଟର ତାଲିକାରେ ନାମ ପଞ୍ଜୀକରଣ ଏକ ନିରନ୍ତର ପ୍ରକ୍ରିୟା ଭାବେ ଜାରି ରହିବ। ଯୋଗ୍ୟ ନାଗରିକମାନେ ନିମ୍ନଲିଖିତ ମାଧ୍ୟମରେ ଯେକୌଣସି ସମୟରେ ଫର୍ମ-୬ ଦାଖଲ କରିପାରିବେ।
* ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ସହ ଯୋଗାଯୋଗ କରି।
* ECINET ମୋବାଇଲ୍ ଆପ୍ ମାଧ୍ୟମରେ।
* ଭୋଟର ସେବା ପୋର୍ଟାଲ୍ voters.eci.gov.in ମାଧ୍ୟମରେ।
ଏଥିସହିତ, ଭୋଟରମାନେ BLOଙ୍କ ସହ ଯୋଗାଯୋଗ, ଆବଶ୍ୟକ ସୂଚନା ଓ ସହାୟତା ପାଇଁ ୧୯୫୦ ଭୋଟର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ। BLOଙ୍କ ସହ କଲ୍ ବୁକ୍ କରିବା ପାଇଁ ଉପଲବ୍ଧ ସୁବିଧାର ମଧ୍ୟ ବ୍ୟବହାର କରିପାରିବେ।
ଜିଲ୍ଲା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ହେଉଛି—କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଯେପରି ଭୋଟର ତାଲିକାରେ ସାମିଲ ନହୁଅନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି।. ପ୍ରଶାନ୍ତ ଟାକ୍ରୀ
