*‘ସେବା ସେତୁ’ କାର୍ଯ୍ୟକ୍ରମ ମାଧ୍ୟମରେ ମୋରଡ଼ାରେ ମନ୍ତ୍ରୀଙ୍କ ଜନଶୁଣାଣି*
*ମୋରଡ଼ା (ମୟୂରଭଞ୍ଜ), ତା ୧୦/୧୦ (ପିଏନଏସ) :* ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ସେବା ସେତୁ’ ଅଭିଯାନ ଅଧୀନରେ ମୋରଡ଼ାରେ ଜନଶୁଣାଣି ଅନୁଷ୍ଠିତ ହୋଇଛି।
ମୋରଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ମୋରଡ଼ା ବିଧାୟକ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ *କୃଷ୍ଣଚନ୍ଦ୍ର ମହାପାତ୍ର* ଯୋଗଦେଇ ଲୋକଙ୍କ ସମସ୍ୟା ଶୁଣିଥିଲେ। ଏହି ଅବସରରେ ଜିଲ୍ଲାପାଳ *ହେମକାନ୍ତ ସାୟ*, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ନିଜ ନିଜ ସମସ୍ୟା ଓ ଅଭିଯୋଗ ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ତେବେ ବାରମ୍ବାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନଥିବା ନେଇ ହିତାଧିକାରୀମାନେ ଅଭିଯୋଗ କରିଥିଲେ।
*ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇ ବି ଭତ୍ତାରୁ ବଞ୍ଚିତ -*
ଏହି ଅବସରରେ ହିତାଧିକାରୀ *କଟି ଦେହୁରୀଙ୍କ ପୁଅ ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ୩୫୦୦ ଟଙ୍କା ଭତ୍ତାରୁ ବଞ୍ଚିତ* ରହିଥିବା ଅଭିଯୋଗ କରିଥିଲେ। KYC ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ନିକଟକୁ ଦୌଡ଼ି ନୟାନ୍ତ ହୋଇ ନିରାଶ ହୋଇଥିବା ସେ କହିଥିଲେ।
ମନ୍ତ୍ରୀ ଶ୍ରୀ ମହାପାତ୍ର ସମସ୍ତ ଅଭିଯୋଗଗୁଡ଼ିକୁ ଶୁଣିବା ସହ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଯୋଜନାର ସୁଫଳ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏବଂ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ହୋଇପାରିବ, ସେଥିପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସିଧାସଳଖ ସମନ୍ୱୟ ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ।
