ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀରେ ସ୍ମରଣସଭା
ରାଜନୈତିକ ସ୍ୱଚ୍ଛତା ପାଇଁ ଆଜି ଅନେକ ଗୋପବନ୍ଧୁଙ୍କ ଆବଶ୍ୟକତା ରହିଛି: ଏମ୍ଏଏସ୍ଏମ୍
ବ୍ରହ୍ମପୁର, ୦୯/୧୦/୨୦୨୬: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଅବସରରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସକାଳ ୭ଟା ୩୦ ମିନିଟ୍ରେ ବ୍ରହ୍ମପୁର ଗିରୀ ରୋଡ୍ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବକ୍ତାମାନେ କହିଥିଲେ ଯେ, ଗୋପବନ୍ଧୁ ଦାସଙ୍କ ତ୍ୟାଗ, ନିଷ୍କଳଙ୍କ ଜୀବନ, ନିଃସ୍ୱାର୍ଥପର ସେବା ଓ ଦେଶପ୍ରେମ ଆଜି ମଧ୍ୟ ସମାଜ ପାଇଁ ପ୍ରେରଣାର ଉତ୍ସ। ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ସ୍ୱଚ୍ଛତା ଓ ନୈତିକତା ପ୍ରତିଷ୍ଠା କରିବା ସହ ଅନ୍ୟାୟ, ଶୋଷଣ ଓ କର୍ପୋରେଟ୍ ସପକ୍ଷବାଦୀ ନୀତି ବିରୋଧରେ ଲଢ଼ିବା ପାଇଁ ଗୋପବନ୍ଧୁଙ୍କ ଭଳି ତ୍ୟାଗୀ, ନିର୍ଭୀକ ଓ ଜନସମର୍ପିତ ନେତୃତ୍ୱର ଆବଶ୍ୟକତା ରହିଛି।
ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟାୟ ଓ ଶୋଷଣ ବିରୋଧରେ ସଂଗ୍ରାମ କଲେ ସମାଜରେ ଶହ ଶହ ଗୋପବନ୍ଧୁ ସୃଷ୍ଟି ହୋଇପାରିବେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏଥିସହ ଅନ୍ଧବିଶ୍ୱାସ, ରୂଢ଼ିବାଦୀ ଚିନ୍ତାଧାରା ଓ ଅବୈଜ୍ଞାନିକ ମାନସିକତାରୁ ମଣିଷକୁ ମୁକ୍ତ କରି ଏକ ପ୍ରଗତିଶୀଳ ଓ ମାନବିକ ସମାଜ ଗଠନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବ୍ରିଟିଶ ଶାସନ ବିରୋଧୀ ସ୍ୱାଧୀନତା ସଂଗ୍ରାମରେ ଗୋପବନ୍ଧୁଙ୍କ ନେତୃତ୍ୱ ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ତାଙ୍କର ଅବଦାନ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ। ତାଙ୍କର ତ୍ୟାଗ, ସେବା ଓ ଆଦର୍ଶ ଛାତ୍ର, ଯୁବକ ଏବଂ ଆଗାମୀ ପିଢ଼ିକୁ ସମାଜସେବା ପାଇଁ ସର୍ବଦା ପ୍ରେରଣା ଯୋଗାଇବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଏହି ସ୍ମରଣସଭାରେ ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ଗୁଣନିଧି ବେହେରା, ଶିକ୍ଷକ ସଂଗଠନ ନେତା ଅଶୋକ କୁମାର ଦଳାଇ, କୁନି ଦେବୀ, ଶ୍ୟାମସୁନ୍ଦର ଖାଡ଼ଙ୍ଗା, ସମାଜସେବୀ ହୃଷୀକେଶ ପାତ୍ର, ଅଧ୍ୟାପକ ମନୋରଞ୍ଜନ ସାହୁ, ସାମ୍ବାଦିକ ସୁରଥ ପଟ୍ଟନାୟକ, ଆପ୍ ନେତା ଆଦିତ୍ୟ ନାରାୟଣ ରଥ, ସମାଜସେବୀ ପ୍ରଶାନ୍ତ କୁମାର ପଣ୍ଡା, ମନୋଜ କୁମାର ତରାଇ, ଉମା ମିଶ୍ର, ପ୍ରମୋଦ ମହାରଣା ଓ ଦେବବ୍ରତ ଦେବ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
