**ନୂଆପଡ଼ାରେ ଉଠାଜଳ ସେଚନ ଓ ବିଦ୍ୟୁତୀକରଣ କାର୍ଯ୍ୟର ସମୀକ୍ଷା ଡିସେମ୍ବର ସୁଦ୍ଧା ନୂତନ ଓ ପୁନରୁଦ୍ଧାର ପ୍ରକଳ୍ପରେ କାର୍ଯ୍ୟାଦେଶ ପ୍ରଦାନ ଲକ୍ଷ୍ୟ**
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୦୮/୧୦:
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଉଠାଜଳ ସେଚନ ଓ ବିଦ୍ୟୁତ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉଭୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।
ବୈଠକରେ ଜିଲ୍ଲାରେ ଉଠାଜଳ ସେଚନ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ବିଦ୍ୟୁତୀକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ୨୦୨୬ ମସିହାରେ ଡ୍ରିଲିଂ କରାଯାଇଥିବା ୧,୦୬୪ଟି କ୍ଲଷ୍ଟର ବୋରୱେଲ୍ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୩୫ଟି ବୋରୱେଲ୍ର ବିଦ୍ୟୁତୀକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟରେ ଟାଟା ପାୱାର ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି।
ଏଥିସହ ଜିଲ୍ଲା ପାଇଁ ଆଉ ୧୦୬ଟି ନୂତନ ଗୋଷ୍ଠୀ ଉଠାଜଳ ସେଚନ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସ୍କ୍ରିନିଂ କମିଟି (SLSC) ଅନୁମୋଦନ କରିଛି। ଏହି ୧୦୬ଟି ନୂତନ ପ୍ରକଳ୍ପ ସହିତ ୬୬ଟି ବନ୍ଦ ଗୋଷ୍ଠୀ ଉଠାଜଳ ସେଚନ ପ୍ରକଳ୍ପର ପୁନରୁଦ୍ଧାର ଏବଂ ୯୩ଟି ଚାଲୁଥିବା ପ୍ରକଳ୍ପର ଆବଶ୍ୟକ ମରାମତି ଓ ସୁଦୃଢ଼ୀକରଣ କାର୍ଯ୍ୟ ପାଇଁ ଚଳିତ ମାସରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ। ଡିସେମ୍ବର ସୁଦ୍ଧା ଏହି ସମସ୍ତ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବୈଠକ ଶେଷରେ ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ (OLIC) ପକ୍ଷରୁ ବିଭାଗର ବିଭିନ୍ନ ସଫଳତା ଓ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କିତ ‘Success Story’ ପ୍ରଦର୍ଶିତ କରାଯାଇଥିଲା।
ଜିଲ୍ଲାପାଳ ଶ୍ରୀ ଦାଶ ଉଠାଜଳ ସେଚନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ବିଦ୍ୟୁତୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିଭାଗୀୟ ଅଧିକାରୀମାନେ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରଖି ସମୟବଦ୍ଧ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ।
