*ନୂଆପଡ଼ାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ, ଯୁଗେ ମାଝୀଙ୍କୁ ‘ରାଜସ୍ୱ ମିତ୍ର ପୁରସ୍କାର’*
ନୂଆପଡ଼ା( ମିଖାଏଲ ନନ୍ଦ)
ତା.-୦୭/୧୦:
ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ରାଜସ୍ୱ ପ୍ରଶାସନକୁ ଅଧିକ ଜନମୁଖୀ, ସ୍ୱଚ୍ଛ ଓ ଦକ୍ଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ବାସୁନ୍ଧରା ଯୋଜନା ଅନ୍ତର୍ଗତ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଘରବାରି ଜମି ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଡିସେମ୍ବର ୨୦୨୬ ସୁଦ୍ଧା ଜିଲ୍ଲାର ସମସ୍ତ ଯୋଗ୍ୟ ପରିବାରଙ୍କୁ ଘରବାରି ପଟ୍ଟା ପ୍ରଦାନ କରିବାକୁ ସେ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କାର୍ଯ୍ୟାଳୟର ଫାଇଲ୍ ଚଳାଚଳକୁ ଅଧିକ ସୁବ୍ୟବସ୍ଥିତ ଓ ସ୍ୱଚ୍ଛ କରିବା ପାଇଁ OSWAS ମାଧ୍ୟମରେ ଫାଇଲ୍ ପ୍ରେରଣ ପ୍ରକ୍ରିୟାକୁ ସୁଦୃଢ଼ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିଜସ୍ୱ ଗାର୍ଡ ଫାଇଲ୍ ନିୟମିତ ଭାବେ ଅଦ୍ୟତନ ରଖିବାକୁ କୁହାଯାଇଥିଲା।
ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ନିୟମାନୁଯାୟୀ ପୂର୍ବରୁ ୩୦ ଦିନର ନୋଟିସ୍ ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ‘ଗୋଚର ବଞ୍ଚାଅ ଅଭିଯାନ’କୁ ଅଧିକ ସକ୍ରିୟ କରି ଗୋଚର ଜମିରେ ଥିବା ଅନଧିକୃତ ନିର୍ମାଣ ଓ ଅନ୍ୟାନ୍ୟ ଜବରଦଖଲ ଚିହ୍ନଟ କରି ନିୟମାନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ସେ ତହସିଲଦାରମାନଙ୍କୁ କହିଥିଲେ।
ଆଗାମୀ ରବି ଋତୁଠାରୁ କୃଷକମାନଙ୍କୁ ସାର ପାଇବା ପାଇଁ ଫାର୍ମର ରେଜିଷ୍ଟ୍ରି ଅନିବାର୍ଯ୍ୟ ହେବାକୁ ଥିବାରୁ ଜିଲ୍ଲାରେ କୃଷକ ପଞ୍ଜୀକରଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ସମସ୍ତ ତହସିଲଦାର ନିୟମିତ ଭାବେ ଫାର୍ମର ରେଜିଷ୍ଟ୍ରି ସମ୍ବନ୍ଧୀୟ ସମୀକ୍ଷା ବୈଠକ କରି କୃଷକ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବୈଠକ ଅବସରରେ ରାଜସ୍ୱ ପ୍ରଶାସନରେ ଉଲ୍ଲେଖନୀୟ ସହଯୋଗ, ସକ୍ରିୟ ଭୂମିକା, ଉତ୍ତମ ସମନ୍ୱୟ, ସଚ୍ଚୋଟତା ଓ ଜନସ୍ୱାର୍ଥମୂଳକ କାର୍ଯ୍ୟ ପାଇଁ କୋମନା ତହସିଲର ଯୁଗେ ମାଝୀଙ୍କୁ ‘ରାଜସ୍ୱ ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିଲା।
ବୈଠକରେ ଉପଜିଲ୍ଲାପାଳ ସୁର୍ମି ସୋରେନ, ଡିଏଫ୍ଓ (ପ୍ରାନ୍ତୀୟ) ଅଜିଜ୍ ଖାନ୍, ଡେପୁଟି ଜିଲ୍ଲାପାଳ (ରାଜସ୍ୱ) ସୁଚିସ୍ମିତା ମହାଉତି, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶେଖ୍ ନସିମ୍, ସମସ୍ତ ତହସିଲଦାର, ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।
