ରବୀନ୍ଦ୍ର ମଣ୍ଡପରେ ବୌଦ୍ଧର ବିଲୁପ୍ତପ୍ରାୟ ଲୋକକଳାର ଭବ୍ୟ ପ୍ରଦର୍ଶନ l
ବୌଦ୍ଧ, ତା. ୦୬/୧୦: ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଲୋକରଞ୍ଜନୀ ‘ଆମ କଳା ଆମ ଅସ୍ମିତା’ ସାଂସ୍କୃତିକ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ପାରମ୍ପରିକ ତଥା ବିଲୁପ୍ତପ୍ରାୟ ସିଂହବାଜା ଓ ଖଞ୍ଜଣୀ ଭଜନ ସମେତ ଦେବଗଡ଼ର ରାମଲୀଳା ଭବ୍ୟ ଭାବେ ପରିବେଷିତ ହୋଇଥିଲା। ଓଡ଼ିଶାର ପ୍ରାୟ ୩୦ଟି ବିଲୁପ୍ତପ୍ରାୟ ଲୋକକଳା ଦଳର ପ୍ରାୟ ୫୦୦ କଳାକାର ଏହି ରାଜ୍ୟସ୍ତରୀୟ ମଞ୍ଚରେ ନିଜ କଳାର ପାରଦର୍ଶିତା ପ୍ରଦର୍ଶନ କରିଥିଲେ।
ଏହି ଅବସରରେ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବୌଦ୍ଧ ଜିଲ୍ଲାର କଳାକାରମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ନିର୍ଦ୍ଦେଶକ ତଥା ଶାସନ ସଚିବ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ବିଜୟ କେତନ ଉପାଧ୍ୟାୟ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡଃ ଚନ୍ଦ୍ର ଶେଖର ହୋତାଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହି କଳାକାରଙ୍କୁ ଉତ୍ସାହିତ କରିଥିଲେ।
ବୌଦ୍ଧର ପ୍ରଣାମ ନୃତ୍ୟାନୁଷ୍ଠାନ ପକ୍ଷରୁ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଭାଇନାଙ୍କ ନେତୃତ୍ୱରେ ସିଂହବାଜା, ଅଲେଖ ମହିମା ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଶ୍ରୀ ନରେନ୍ଦ୍ର ହାତୀ ଓ ସାଥୀଙ୍କ ଦ୍ୱାରା ଖଞ୍ଜଣୀ ଭଜନ ଏବଂ ଶ୍ରୀ ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସଂଘ, ଦେବଗଡ଼ ପକ୍ଷରୁ ନିର୍ଦ୍ଦେଶକ ଶ୍ରୀ ଗଣେଶ୍ୱର ଝାଙ୍କରଙ୍କ ନିର୍ଦ୍ଦେଶନାରେ ରାମଲୀଳାର ‘ସୀତାଚୋରୀ’ ନାଟକ ପରିବେଷିତ ହୋଇଥିଲା।
ବୌଦ୍ଧର ଲୋକକଳାକୁ ରାଜ୍ୟସ୍ତରୀୟ ମଞ୍ଚରେ ପରିବେଷଣ କରିବା ପାଇଁ ପ୍ରଶାନ୍ତ କୁମାର ଭାଇନା ଓ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ବସନ୍ତ କୁମାର ସାହୁଙ୍କ ଉଦ୍ୟମ ପ୍ରଶଂସନୀୟ। ପ୍ରାୟ ୫୦ ଜଣ କଳାକାରଙ୍କ ଦଳର ଆବଶ୍ୟକ ବ୍ୟବସ୍ଥା ଓ ସମନ୍ୱୟରେ ସଠିକ୍ ପରିଚାଳନା ପାଇଁ ଶୋଭନ କରଡ଼ିଆ ଓ ରାମ କୁମ୍ଭାରଙ୍କ ଭୂମିକା ମଧ୍ୟ ଉଲ୍ଲେଖନୀୟ ଥିଲା।ମନ୍ତ୍ରୀ ଶ୍ରୀ ସୂରଜ ବୌଦ୍ଧର ପାରମ୍ପରିକ ଓ ବିଲୁପ୍ତପ୍ରାୟ ଲୋକକଳାର ସୁରକ୍ଷା, ସଂରକ୍ଷଣ ଓ ପ୍ରଚାର-ପ୍ରସାର ଉପରେ ଗୁରୁତ୍ୱାରୋପ କରିବା ସହ ଆଗାମୀ ଦିନରେ ଅନ୍ୟାନ୍ୟ ଲୋକକଳାକୁ ମଧ୍ୟ ରାଜ୍ୟସ୍ତରୀୟ ମଞ୍ଚରେ ସୁଯୋଗ ଦିଆଯିବ ବୋଲି କହିଥିଲେ। ରବୀନ୍ଦ୍ର ମଣ୍ଡପରେ ବୌଦ୍ଧର ଲୋକକଳାର ଏହି ପ୍ରଦର୍ଶନ ଜିଲ୍ଲାର ସମୃଦ୍ଧ ଲୋକସଂସ୍କୃତିକୁ ରାଜ୍ୟସ୍ତରରେ ନୂଆ ପରିଚୟ ଦେଇଥିବାରୁ ଜିଲ୍ଲାବାସୀ ଓ କଳାପ୍ରେମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।
