*ନୂଆପଡ଼ାରେ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୦୬/୧୦:
‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ (Odisha Seva First Innovation Challenge) ଅଧୀନରେ ଜିଲ୍ଲା ଓ ଅନୁଷ୍ଠାନ ସ୍ତରୀୟ ଷ୍ଟାର୍ଟଅପ୍ ସଚେତନତା କାର୍ଯ୍ୟକ୍ରମ (Startup Outreach Programmes) ଆୟୋଜନ ନିମନ୍ତେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ଶ୍ରୀ ଦାଶ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଜିଲ୍ଲାର ଯୁବକଯୁବତୀଙ୍କ ମଧ୍ୟରେ ନବସୃଜନ, ଉଦ୍ୟୋଗିତା ଓ ଷ୍ଟାର୍ଟଅପ୍ ମନୋଭାବର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଚାକିରି ଖୋଜୁଥିବା ଯୁବକଯୁବତୀ (Job Seekers) ଓ ସଫଳ ଉଦ୍ୟୋଗୀମାନଙ୍କ (Successful Entrepreneurs) ମଧ୍ୟରେ ଥିବା ଦୂରତାକୁ ଦୂର କରି ଯୁବପିଢ଼ିଙ୍କୁ ଉଦ୍ୟୋଗିତା ଦିଗରେ ଆଗେଇ ଆସିବା ପାଇଁ ପ୍ରେରଣା, ମାର୍ଗଦର୍ଶନ ଓ ସୁଯୋଗ ପ୍ରଦାନ ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ।
ବୈଠକରେ ସାଧାରଣ ପରିଚାଳକ, ଜ଼ିଲ୍ଲା ଶିଳ୍ପ କେନ୍ଦ୍ର ସମୀର ମୁଦୁଲି, ଜିଲ୍ଲା ଶିକ୍ଷାଧିକାରୀ ଡ. ପ୍ରଶାନ୍ତ ମହାନ୍ତି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତିରାଣୀ ପ୍ରଧାନ, ସହକାରୀ ନିର୍ଦ୍ଦେଶକ, ହସ୍ତଶିଳ୍ପ ମାନସ ପଟେଲ, ଉପ-ସିଇଓ, ଓରମାସ୍ ବିଦେଶ ଘୋଷ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇଙ୍କ ସମେତ ସରକାରୀ ଆଇଟିଆଇ, ସରକାରୀ ପଲିଟେକ୍ନିକ୍ ଓ ବିଭିନ୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷମାନେ ଯୋଗଦେଇଥିଲେ।
ଏହି ଅବସରରେ କମିଟିର ସଦସ୍ୟମାନଙ୍କୁ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମର ରୂପରେଖା ସମ୍ପର୍କରେ ଅବଗତ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କୁ ଷ୍ଟାର୍ଟଅପ୍, ନବସୃଜନ ଓ ଉଦ୍ୟୋଗିତା ସମ୍ପର୍କରେ ସଚେତନ କରିବା ସହ ସଫଳ ଉଦ୍ୟୋଗୀଙ୍କ ଅଭିଜ୍ଞତା ଓ ମାର୍ଗଦର୍ଶନ ସେମାନଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା।
ଜିଲ୍ଲାରେ ୦୨ଟି ଜିଲ୍ଲା ସ୍ତରୀୟ ଏବଂ ୨୦ଟି ଅନୁଷ୍ଠାନ ସ୍ତରୀୟ, ମୋଟ ୨୨ଟି ଷ୍ଟାର୍ଟଅପ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନ ଚୂଡ଼ାନ୍ତ କରାଯାଇଛି। କାର୍ଯ୍ୟକ୍ରମଗୁଡ଼ିକରେ ଅଧିକରୁ ଅଧିକ ଯୁବକଯୁବତୀ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ସହ ସେମାନଙ୍କ ମଧ୍ୟରେ ନବସୃଜନ ଓ ଉଦ୍ୟୋଗିତା ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ସମ୍ପୃକ୍ତ ବିଭାଗ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ କୁହାଯାଇଥିଲା।
‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ ମାଧ୍ୟମରେ ଯୁବପିଢ଼ିଙ୍କ ସୃଜନଶୀଳ ଚିନ୍ତାଧାରାକୁ ଉଦ୍ୟୋଗରେ ପରିଣତ କରିବା ସହ ସ୍ୱାବଲମ୍ବନ ଓ ନିଯୁକ୍ତି ସୃଷ୍ଟିର ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରେ ଆଶା ପ୍ରକାଶ କରାଯାଇଥିଲା।
