ଛୁରୀ ଦେଖାଇ ଟ୍ରକ୍ ଡ୍ରାଇଭରଙ୍କୁ ଲୁଟ୍ ମାମଲାରେ ୨ ଗିରଫ
ଚୋରି ହୋଇଥିବା ଟ୍ରକ୍ ବ୍ୟାଟେରୀ ଓ ଘଟଣାରେ ବ୍ୟବହୃତ ମୋଟରସାଇକେଲ ଜବତ
ସିନାପାଲି ୬/୧୦(ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର)ରାତିର ନିରବତାର ସୁଯୋଗ ନେଇ ଟ୍ରକ୍ ଅଟକାଇ ଡ୍ରାଇଭରଙ୍କୁ ଛୁରୀ ଦେଖାଇ ଆକ୍ରମଣ କରିବା ସହ ନଗଦ ଟଙ୍କା ଓ ଟ୍ରକ୍ର ବ୍ୟାଟେରୀ ଲୁଟ୍ ଘଟଣାରେ ସିନାପାଲି ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହ ଚୋରି ହୋଇଥିବା ଟ୍ରକ୍ ବ୍ୟାଟେରୀ ଓ ଘଟଣାରେ ବ୍ୟବହୃତ ଏକ ମୋଟରସାଇକେଲକୁ ପୁଲିସ ଜବତ କରିଛି।ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୧ ତାରିଖ ରାତିରେ ଡ୍ରାଇଭର ସନୁରାମ ସୋନସ୍ତାନୀ (୩୮) ଟ୍ରକ୍ ନଂ. OD-04-NP-5823 ଯୋଗେ ନବରଙ୍ଗପୁରରୁ ଖଡ଼ିଆଳ ରୋଡ୍ ଅଭିମୁଖେ ଯାଉଥିଲେ।ନୂଆପଡା ଜିଲ୍ଲା ସିନାପାଲି ଥାନା ବାବା ମଠ ରୋଡ୍ ନିକଟରେ ତିନିଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଟ୍ରକ୍କୁ ଅଟକାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଟ୍ରକ୍ର କାଚ ଭାଙ୍ଗି ଛୁରୀ ଦେଖାଇ ଡ୍ରାଇଭରଙ୍କୁ ଗାଡ଼ିରୁ ତଳକୁ ଟାଣି ଆଣିଥିଲେ। ତାଙ୍କଠାରୁ ନଗଦ ୨ ହଜାର ଟଙ୍କା ଲୁଟିନେବା ସହ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ଆହତ ଡ୍ରାଇଭର ନିକଟସ୍ଥ କ୍ଷେତ ଦେଇ ପଳାଇ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଟ୍ରକ୍ର ବ୍ୟାଟେରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ।
ଘଟଣା ସମ୍ପର୍କରେ ଅଭିଯୋଗ ପରେ ସିନାପାଲି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଇଆଇସି ମହେଶ୍ୱର ପାଣିଗ୍ରାହୀଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଚଳାଇ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି। ତଦନ୍ତରେ ଭରୁଆମୁଣ୍ଡା ଗ୍ରାମର ଗୁପ୍ତେଶ୍ୱର ଛତ୍ରିଆ ଓରଫ ଗୁପ୍ଟେ (୨୩) ଏବଂ ଗୋଡାଳ ଗ୍ରାମର **ନରେଶ କୁମାର ମାଝି (୨୫)**ଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ଚୋରି ହୋଇଥିବା ଟ୍ରକ୍ ବ୍ୟାଟେରୀ ଏବଂ ଘଟଣାରେ ବ୍ୟବହୃତ OR-26-2530 ନମ୍ବର ବିଶିଷ୍ଟ ମୋଟରସାଇକେଲ ଜବତ କରାଯାଇଛି। ଏହି ଘଟଣାର ଅନ୍ୟତମ ସହଅଭିଯୁକ୍ତ ଜଣେ ପୂର୍ବରୁ ସିନାପାଲି ଥାନା କେସ୍ ନଂ. ୨୫୨/୨୬ ମାମଲାରେ ଜେଲ୍ ହାଜତରେ ରହିଥିବା ପୁଲିସ ସୂଚନାରୁ ଜଣାପଡ଼ିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ପାଳନ ପରେ ମାନ୍ୟବର କୋର୍ଟରେ ଚାଲାଣ କରାଯାଇଛି। ରାତିର ଅନ୍ଧାରରେ ଘଟିଥିବା ଏହି ଲୁଟ୍ ଘଟଣାର ଅଭିଯୁକ୍ତଙ୍କୁ ଧରିବାରେ ସିନାପାଲି ପୁଲିସର ତତ୍ପରତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।
