ଦେଶସେବା ସାରି ଜନ୍ମମାଟିରେ ବୀରପୁତ୍ର କ୍ଷିତୀଶ
୧୮ ବର୍ଷର ସିଆରପିଏଫ୍ ସେବା ପରେ ପଲସାପଡ଼ାରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା
ସିନାପାଲି, ୦୪/୧୦ (ଧର୍ମେନ୍ଦ୍ର କୁମାର ଗହିର): ଦେଶସେବାର ୧୮ ବର୍ଷର ଗୌରବମୟ ଅଧ୍ୟାୟ ଶେଷ କରି ଜନ୍ମମାଟିକୁ ଫେରିଲେ ସିଆରପିଏଫ୍ ଯବାନ କ୍ଷିତୀଶ ଜଗତ। ତାଙ୍କ ଘରବାହୁଡ଼ାକୁ ନେଇ ପଲସାପଡ଼ା ଗ୍ରାମରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ।
ବାପା ସୁଗ୍ରୀବ ଜଗତ ଓ ମାଁ ମାଳତୀ ଜଗତଙ୍କ ପୁତ୍ର କ୍ଷିତୀଶ ୨୬ ଜୁନ ୨୦୦୮ରେ ସିଆରପିଏଫ୍ରେ ଯୋଗଦେଇଥିଲେ। ଜମ୍ମୁ-କାଶ୍ମୀରର ଦ୍ରାସଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ନିଷ୍ଠାର ସହ କର୍ତ୍ତବ୍ୟ ତୁଲାଇଥିଲେ। ଶେଷରେ ଆସାମର ଲେଖାପାନୀରେ କାର୍ଯ୍ୟରତ ଥାଇ ୩୦ ସେପ୍ଟେମ୍ବର ୨୦୨୬ରେ ଅବସର ନେଇଥିଲେ। ଅବସର ପରେ ଜନ୍ମମାଟିକୁ ଫେରିବା ସମୟରେ ସିନାପାଲି ବସଷ୍ଟାଣ୍ଡ ଛକରୁ ଗ୍ରାମବାସୀ ତାଙ୍କୁ ଭବ୍ୟ ଶୋଭାଯାତ୍ରାରେ ପଲସାପଡ଼ାକୁ ପାଛୋଟି ନେଇଥିଲେ। ଢୋଲ, ନିଶାନ ଓ ‘ଭାରତ ମାତା କି ଜୟ’ ଧ୍ୱନିରେ ମୁଖରିତ ହୋଇଥିଲା ପରିବେଶ। ଫୁଲମାଳା ଓ ଫୁଲବର୍ଷାରେ କ୍ଷିତୀଶଙ୍କୁ ଦିଆଯାଇଥିଲା ଭାବପୂର୍ଣ୍ଣ ସ୍ୱାଗତ।
ପରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନୂଆପଡ଼ା ଜିଲ୍ଲା ଏକ୍ସ-ସର୍ଭିସମେନ୍ ସଂଘର ସଭାପତି ନିମାଇ ଚରଣ ତାଣ୍ଡି, ଉପସଭାପତି ପ୍ରଫୁଲ୍ଲ ଦଣ୍ଡସେନା ଓ ସମ୍ପାଦକ ପବିତ୍ର ମାଝୀଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରିଥିଲେ।
ଶତାଧିକ ଗ୍ରାମବାସୀ,ସହପାଠୀ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମ୍ବର୍ଦ୍ଧନା କ୍ଷିତୀଶଙ୍କ ୧୮ ବର୍ଷର ତ୍ୟାଗ ଓ ଦେଶପ୍ରତି ସମର୍ପଣକୁ ସମ୍ମାନ ଜଣାଇବାର ଏକ ସ୍ମରଣୀୟ ଅବସର ପାଲଟିଥିଲା।
