ସୌର ସମାଧାନ ଓ ଶକ୍ତି ଦକ୍ଷତା ପଦକ୍ଷେପ,
ବେଲଗୁଣ୍ଠା, ୦୪/୧୦,-(ଶିବରାମ ଚୌଧୁରୀ )-
ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ, ରେ ଆଜି ଏନର୍ଜି କ୍ଲବ ପକ୍ଷରୁ “Solar Solutions and Energy Efficiency Initiative” ଅନ୍ତର୍ଗତ ଏକ ଏଲଇଡି ବଲ୍ବ ମରାମତି ଓ ନିର୍ମାଣ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଡୋକି ସରୋଜିନୀଙ୍କ ମାର୍ଗଦର୍ଶନରେ ଏବଂ ଏନର୍ଜି କ୍ଲବ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।
କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶକ୍ତି ସଂରକ୍ଷଣ, ଶକ୍ତିର ଦକ୍ଷ ବ୍ୟବହାର ଏବଂ ଏଲଇଡି ବଲ୍ବର ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ପ୍ରାୟୋଗିକ ଜ୍ଞାନ ବୃଦ୍ଧି କରିବା।
ଏହି କର୍ମଶାଳାରେ ୫୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଛାତ୍ର ଜଗଦୀଶ ବେହେରାଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଏଲଇଡି ବଲ୍ବ ନିର୍ମାଣ ଓ ମରାମତିର ପ୍ରାୟୋଗିକ ଜ୍ଞାନ ହାସଲ କରିଥିଲେ। ଛାତ୍ରଛାତ୍ରୀମାନେ ୩୦ଟି ଏଲଇଡି ବଲ୍ବ ନିର୍ମାଣ କରିବା ସହ ୨୦ଟି ଖରାପ ଏଲଇଡି ବଲ୍ବ ମରାମତି କରିଥିଲେ।
ଏହା ସହିତ ଶକ୍ତି ସଂରକ୍ଷଣ, ଶକ୍ତିର ଅପଚୟ ରୋକିବା ଏବଂ ଶକ୍ତି-ଦକ୍ଷ ବିଦ୍ୟୁତ ଉପକରଣ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସଚେତନତା ରାଲି ମଧ୍ୟ ଆୟୋଜିତ ହୋଇଥିଲା।
ଏହି କର୍ମଶାଳା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଶକ୍ତି ସଂରକ୍ଷଣ ସହିତ ପ୍ରାୟୋଗିକ ଦକ୍ଷତା ଅର୍ଜନ କରିବାର ସୁଯୋଗ ପାଇଥିଲେ। ଏହିପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣର ଅଭ୍ୟାସ, ପରିବେଶ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ଏବଂ ଦକ୍ଷତା ବିକାଶ କରିବାରେ ସହାୟକ ହୋଇଥିଲା।
