ଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟାଇଲେ ଭାରତ ନିର୍ବାଚନ ଆୟୋଗ
ଯୋଗ୍ୟ ନାଗରିକମାନେ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଭୋଟର ତାଲିକାରେ ନାମ ସାମିଲ ପାଇଁ କରିପାରିବେ ଆବେଦନ
ବ୍ରହ୍ମପୁର, ତା. ୦୧/୧୦: ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ, ବର୍ତ୍ତମାନର ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ନାଗରିକମାନେ ଭୋଟର ଭାବେ ପଞ୍ଜୀକରଣ ପାଇଁ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ଭାରତ ନିର୍ବାଚନ ଆୟୋଗ ଫର୍ମ-୬ରେ ଥିବା ଅତିରିକ୍ତ ଘୋଷଣାନାମାକୁ ହଟାଇ ଦେଇଛନ୍ତି।
ଏସଆଇଆର ପ୍ରକ୍ରିୟା ସମୟରେ ଯେଉଁ ଯୋଗ୍ୟ ନାଗରିକଙ୍କ ନାମ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବ, ସେମାନେ ପୁନର୍ବାର ନାମ ସାମିଲ ପାଇଁ ଫର୍ମ-୬ ଦାଖଲ କରିବା ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ପର୍କିତ ତଥ୍ୟ ଦେବାକୁ ପଡ଼ିବ ନାହିଁ। ସେହିପରି, ଆବେଦନକାରୀଙ୍କ ପିତାମାତା କିମ୍ବା ଜେଜେବାପା-ଜେଜେମାଆଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ କିମ୍ବା ଅତିରିକ୍ତ ଘୋଷଣାନାମା ମଧ୍ୟ ଦାଖଲ କରିବା ଆବଶ୍ୟକ ହେବ ନାହିଁ। ଫଳରେ ଯୋଗ୍ୟ ନାଗରିକମାନେ ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ଦାଖଲ କରି ଭୋଟର ତାଲିକାରେ ନାମ ସାମିଲ ପାଇଁ ଆବେଦନ କରିପାରିବେ।
ତେବେ, କେବଳ ଫର୍ମ-୬ ଦାଖଲ କରିଦେଲେ ଆବେଦନକାରୀଙ୍କ ନାମ ସ୍ୱତଃସ୍ଫୂର୍ତ୍ତ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ। ନାମ ଅନ୍ତର୍ଭୁକ୍ତି ପୂର୍ବରୁ ଆବେଦନକାରୀଙ୍କ ଯୋଗ୍ୟତା, ଆବେଦନରେ ପ୍ରଦତ୍ତ ତଥ୍ୟ ଏବଂ ଆବଶ୍ୟକୀୟ ଦସ୍ତାବିଜର ନିର୍ଦ୍ଧାରିତ ଯାଞ୍ଚ କରାଯିବ। ସମ୍ପୃକ୍ତ ନିର୍ବାଚନ କର୍ତ୍ତୃପକ୍ଷ ଆଇନ ଓ ପ୍ରଚଳିତ ନିୟମ ଅନୁଯାୟୀ ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବା ପରେ ହିଁ ନାମ ସାମିଲ ସମ୍ପର୍କରେ ନିଷ୍ପତ୍ତି ନେବେ।
ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକଙ୍କୁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ଫର୍ମ-୬ ଦାଖଲ କରିବା ସହ ଭୋଟର ଭାବେ ପଞ୍ଜୀକରଣ କରାଇବାକୁ ଅନୁରୋଧ କରିଛନ୍ତି।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ
