ସ୍ୱତନ୍ତ୍ର ଗ୍ରାମସଭାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମ ବିରୋଧରେ ସଂକଳ୍ପ
ବଅଁରପାଳ:(ମନୋଜ ରାଉତ)(ନିପ୍ର): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ତଥା ଅକ୍ଟୋବର ୨ ତାରିଖ ଅବସରରେ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଫୁଳପଡା-ସାନ୍ତରାପୁର ଗ୍ରାମ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମରେ ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା, ଅଧିକାର ଓ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ଗ୍ରାମସଭାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମ ବିରୋଧରେ ଦୃଢ଼ ସଂକଳ୍ପ ଗ୍ରହଣ କରାଯାଇଥିଲା।
ଗ୍ରାମସଭାରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ପାଇଁ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଶିଶୁମାନଙ୍କୁ ଅଳ୍ପ ବୟସରେ ବିବାହର ବନ୍ଧନରେ ବାନ୍ଧି ନଦେଇ ସେମାନଙ୍କୁ ଶିକ୍ଷା ଓ ନିଜ ଭବିଷ୍ୟତ ଗଢ଼ିବାର ସୁଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହ ଗ୍ରାମରେ କୌଣସି ବାଲ୍ୟ ବିବାହ ଘଟଣା ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ଏବଂ ଏଭଳି ଘଟଣାକୁ ପ୍ରତିରୋଧ କରିବା ନେଇ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ବାଲ୍ୟ ବିବାହ ଭଳି ସାମାଜିକ ସମସ୍ୟାକୁ ମୂଳରୁ ଦୂର କରିବା ପାଇଁ ପରିବାର, ଗ୍ରାମବାସୀ, ଯୁବପିଢ଼ି ଓ ସମସ୍ତ ସଚେତନ ନାଗରିକଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
ସେହିପରି ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ଉପରେ ମଧ୍ୟ ଗ୍ରାମସଭାରେ ଗୁରୁତ୍ୱାରୋପ କରାଯାଇଥିଲା। କୌଣସି ଶିଶୁଙ୍କୁ ଶିକ୍ଷାରୁ ବଞ୍ଚିତ କରି ଶ୍ରମରେ ନିୟୋଜିତ ନକରିବା, ଶିଶୁମାନଙ୍କ ଅଧିକାରର ସୁରକ୍ଷା କରିବା ଏବଂ ସେମାନଙ୍କୁ ନିରାପଦ ପରିବେଶ ଯୋଗାଇଦେବା ପାଇଁ ସମସ୍ତେ ମିଳିତ ଭାବେ ପ୍ରୟାସ କରିବାକୁ ଆହ୍ୱାନ ଦିଆଯାଇଥିଲା।
ଏହି ଅବସରରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମ ବିରୋଧରେ ସଚେତନତା ସୃଷ୍ଟି ସହ ଗ୍ରାମକୁ ଏକ ଶିଶୁ-ସୁରକ୍ଷିତ ଓ ଶିଶୁ-ବନ୍ଧୁ ପରିବେଶରେ ପରିଣତ କରିବା ପାଇଁ ସଂକଳ୍ପ ଓ ଶପଥ ପାଠ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟିକା ଲକ୍ଷ୍ମୀ ବେହେରା ଯୋଗଦେଇ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସମାଜର ପ୍ରତ୍ୟେକ ବର୍ଗର ସଚେତନତା ଓ ସକ୍ରିୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।
ଗ୍ରାମସଭାର ଏହି ସଚେତନତାମୂଳକ ପଦକ୍ଷେପ ମାଧ୍ୟମରେ ଫୁଳପଡା-ସାନ୍ତରାପୁର ଗ୍ରାମ ପଞ୍ଚାୟତକୁ ବାଲ୍ୟ ବିବାହ ଓ ଶିଶୁ ଶ୍ରମ ଭଳି ସାମାଜିକ ସମସ୍ୟାରୁ ମୁକ୍ତ କରିବା ସହ ପ୍ରତ୍ୟେକ ଶିଶୁଙ୍କ ଅଧିକାର, ଶିକ୍ଷା ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଏକ ସକାରାତ୍ମକ ବାର୍ତ୍ତା ଦିଆଯାଇଛି।
