*ଅନ୍ତର୍ଲାରେ ଏକଦିବସୀୟ ଛତୁ ଚାଷ ତାଲିମ ଶିବିର* ।
ବରଗଡ :୦୧/୧୦(ନି ପ୍ର) ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଜମରତଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲା ଗ୍ରାମରେ ନାବାର୍ଡ ସହାୟତାରେ ଦେବଦତ୍ତ କ୍ଲବ ଦ୍ୱାରା ପରିଚାଳିତ ଆଦିବାସୀ ଉନ୍ନୟନ କାର୍ଯ୍ୟକ୍ରମ (WADI) ପ୍ରକଳ୍ପ ଅଧୀନରେ ଏକଦିବସୀୟ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମୀଣ ମହିଳାମାନଙ୍କୁ ପାରମ୍ପରିକ କୃଷି ସହିତ ଅନ୍ୟାନ୍ୟ ଜୀବିକା ମାଧ୍ୟମ ସହ ଯୋଡ଼ି ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଏହି ତାଲିମ ଶିବିର ଆୟୋଜନ କରାଯାଇଥିଲା। ଛତୁ ଚାଷ ଅଳ୍ପ ଜାଗା ଓ ସ୍ୱଳ୍ପ ଖର୍ଚ୍ଚରେ କରାଯାଇପାରୁଥିବାରୁ ଏହା ମହିଳାଙ୍କ ପାଇଁ ଏକ ବିକଳ୍ପ ଜୀବିକା ମାଧ୍ୟମ ହୋଇପାରିବ ବୋଲି ତାଲିମ ସମୟରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ପଦ୍ମପୁର ଉଦ୍ୟାନ କୃଷି ବିଭାଗର ଉଦ୍ୟାନ କୃଷି ପ୍ରଚାର କର୍ମଚାରୀ ସୁରଜ ଭୋଇ ଯୋଗଦେଇ ମହିଳା ହିତାଧିକାରୀଙ୍କୁ ଛତୁ ଚାଷର ବିଭିନ୍ନ ଦିଗ ଉପରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଛତୁ ଚାଷ ପାଇଁ ଆବଶ୍ୟକ ଉପକରଣ, ଚାଷ ପାଇଁ ପ୍ରସ୍ତୁତି, ବିହନ ବ୍ୟବହାର, ଉପଯୁକ୍ତ ପରିବେଶ, ଚାଷ ସମୟରେ ଯତ୍ନ ଓ ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ବ୍ୟବହାରିକ ଓ ତାତ୍ତ୍ୱିକ ତଥ୍ୟ ଦିଆଯାଇଥିଲା। ଏଥିସହ ଉତ୍ପାଦିତ ଛତୁର ସଂରକ୍ଷଣ, ବଜାରୀକରଣ ଓ ଏହା ମାଧ୍ୟମରେ ଆୟ ବୃଦ୍ଧିର ବିଭିନ୍ନ ସୁଯୋଗ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ତାଲିମ ଶିବିରରେ WADI ପ୍ରକଳ୍ପର ୩୦ ଜଣ ମହିଳା ହିତାଧିକାରୀ ଯୋଗଦେଇ ଛତୁ ଚାଷ ସମ୍ପର୍କିତ ତାଲିମ ଗ୍ରହଣ କରିଥିଲେ। ମହିଳାମାନେ ତାଲିମ ସମୟରେ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରିବା ସହ ଛତୁ ଚାଷକୁ ନିଜ ଅଞ୍ଚଳରେ ଜୀବିକାର ଏକ ମାଧ୍ୟମ ଭାବେ ଗ୍ରହଣ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। WADI ପ୍ରକଳ୍ପ ମାଧ୍ୟମରେ ଆଦିବାସୀ ଓ ଗ୍ରାମୀଣ ପରିବାରଗୁଡ଼ିକର ଜୀବିକା ବିକାଶ, ଆୟବୃଦ୍ଧି ଓ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଛତୁ ଚାଷ ଭଳି ଆୟମୁଖୀ କାର୍ଯ୍ୟକ୍ରମ ମହିଳାଙ୍କୁ ନିଜ ଘରେ ରହି ଜୀବିକା ଅର୍ଜନର ସୁଯୋଗ ଦେବା ସହ ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଥିବା ବେଳେ ପରିଶେଷରେ କାର୍ଯ୍ୟକ୍ରମ ସଂଯୋଜକ କପିଳେଶ୍ୱର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
