ସାମ୍ୟବାଦୀ ଆନ୍ଦୋଳନର ବାର୍ତ୍ତାବହ ରଘୁନାଥ ପଣ୍ଡାଙ୍କ ସ୍ମୃତିସଭା
ବ୍ରହ୍ମପୁର, ୨୯/୦୯/୨୦୨୬: ସ୍ୱାଧୀନତା ସଂଗ୍ରାମୀ, ଚାଷୀ-ମୁଲିଆ ଓ ଶ୍ରମିକ ନେତା ତଥା କବିରାଜ ରଘୁନାଥ ପଣ୍ଡାଙ୍କ ୧୦୮ତମ ଜନ୍ମଦିବସ ଅବସରରେ ଆଜି ଗିରିରୋଡସ୍ଥିତ ପାଢ଼ୀ ସେଲିବ୍ରେସନ ସଭାକକ୍ଷରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଅଲ୍ ଇଣ୍ଡିଆ ଖେତ ମଜଦୂର କିଶାନ ସଭାର ଜିଲ୍ଲା ସଭାପତି ତଥା ଆଇନଜୀବୀ ଅବନୀ ଗୟା ସଭାରେ ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମ ଓକିଲ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୁର୍ବତନ ସମ୍ପାଦକ ପ୍ରକାଶ ପାତ୍ର,ପୁର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ଶିକ୍ଷାବିତ ଦେବୀ ପ୍ରସାଦ ସାହୁ, ଓମ୍ ପ୍ରଭାତ କ୍ଳବ୍ ସଭାପତି ଦେବରାଜ ଦାଶ, ସେବା ନିବୃତ ଶିକ୍ଷକ ସଙ୍ଗଠନର ନେତା ଶ୍ୟାମ ସୁନ୍ଦର ଖାଡଙ୍ଗା ଅତିଥି ଭାବେ ଯୋଗଦେଇ ରଘୁନାଥ ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଜନସେବା ଓ ସାମ୍ୟବାଦୀ ଆନ୍ଦୋଳନରେ ଅବଦାନ ଉପରେ ଆଲୋକପାତ କରିଥିଲେ। ରଘୁନାଥ ପଣ୍ଡା ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବା ସହ ଜମିଦାରୀ ଓ ମୁସ୍ତାଦାରୀ ପ୍ରଥା ବିରୋଧରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସ୍ୱାଧୀନ ଭାରତରେ ଗଞ୍ଜାମ ଜିଲ୍ଲାର ତାକରଡ଼ାରେ ହୋଇଥିବା ଐତିହାସିକ କୃଷକ ଆନ୍ଦୋଳନରେ ମଧ୍ୟ ସେ ଜଣେ ପ୍ରମୁଖ ନେତା ଥିଲେ। ତତ୍କାଳୀନ ଆସିକା ବିଧାୟକ ହରିହର ଦାସଙ୍କ ସମୟରେ ରଘୁନାଥ ପଣ୍ଡା ଗୁଣ୍ଠପଡ଼ାଠାରେ ହାଇସ୍କୁଲ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ। ତାଙ୍କ ନେତୃତ୍ୱରେ କମ୍ୟୁନିଷ୍ଟ ପାର୍ଟିର ଦୀର୍ଘଦିନର ଆନ୍ଦୋଳନ ଫଳରେ ଗୁଣ୍ଠପଡ଼ା, ସୁମନ୍ତପଲ୍ଲୀ, ମଙ୍ଗଳପୁର, କଦମ୍ବଘାଇ ଓ କୁଣିଆ ଅଞ୍ଚଳରେ କେନାଲ ନିର୍ମାଣ ହୋଇ ଲୋକଙ୍କ ଦୀର୍ଘଦିନର ଜଳସଙ୍କଟ ଦୂର ହୋଇଥିଲା। ବଡ଼ନଦୀର ପଟ୍ଟଘାଇ ନିର୍ମାଣ ଦ୍ୱାରା ବାରମ୍ବାର ନଦୀବଢ଼ି ଓ ବନ୍ୟାରୁ ମଧ୍ୟ ଲୋକେ ରକ୍ଷା ପାଇଥିଲେ।
ଗୁଣ୍ଠପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ସେ ସମସ୍ତ ଗାଁକୁ ରାସ୍ତା ସଂଯୋଗ, ପୋଖରୀ ଖନନ ଏବଂ ଯୁବକ-ଯୁବତୀ ଓ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଭଳି ବହୁ ସାମାଜିକ କାର୍ଯ୍ୟ କରିଥିଲେ। କବିରାଜ ଭାବେ ସେ ବିଭିନ୍ନ ଗ୍ରାମର ଲୋକଙ୍କୁ ନିଶୁଳ୍କ ଚିକିତ୍ସା ସେବା ଯୋଗାଇ ଆସୁଥିଲେ। ଜନସାଧାରଣଙ୍କ ସେବା ଓ ଅଧିକାର ପାଇଁ ତାଙ୍କର ଦୀର୍ଘ ସଂଗ୍ରାମ ତାଙ୍କୁ ସାମ୍ୟବାଦୀ ଆନ୍ଦୋଳନର ଜଣେ ନିଷ୍ଠାବାନ ବାର୍ତ୍ତାବହ ଭାବେ ସ୍ମରଣୀୟ କରିଛି। ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ବରିଷ୍ଠ ନାଗରିକ ସଂଘର ଉପ ସଭାପତି ସୀମାଞ୍ଚଳ ପ୍ରସାଦ ବିଷୋୟୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, କବି ପ୍ରଫୁଲ୍ଲ କୁମାର ମହାପାତ୍ର, ରବୀନ୍ଦ୍ର କୁମାର ପଣ୍ଡା, ଆଶା କିରଣ ପଣ୍ଡା, ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଅଧ୍ୟାପକ ମନୋରଞ୍ଜନ ସାହୁ, ଇଞ୍ଜିନିୟର ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଆପ୍ ନେତା ଆଦିତ୍ୟ ରଥ, ସୁରେନ୍ଦ୍ର ମହାପାତ୍ର, କିଶୋର ପାତ୍ର, ଗଗନ ଚନ୍ଦ୍ର ପ୍ରଧାନ, ଗୁଣନିଧି ବେହେରା, କୁନି ଦେବୀ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ।
ଏହି ଅବସରରେ ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସୁରେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
