
ସାରସକଣା / ଜାମଶଳା (ଅନିଲ କୁମାର ସାହୁ) : ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀ ବିଶି ଦୀର୍ଘ ୬ ମାସ ଧରି ଶିକ୍ଷା ବିଭାଗର ଏଚଓଡି ସମୀର କୁମାର ସାହୁଙ୍କ ନିର୍ଯ୍ୟାତନା ସହି ନପାରି ଆତ୍ମାହୁତି ଉଦ୍ୟମ ଭଳି ଚରମ ନିଷ୍ପତ୍ତି ନେବା ଘଟଣା ପୁରା ରାଜ୍ୟ ବାସୀଙ୍କୁ ସ୍ତବଧ କରିଦେଇଛି।ପୀଡ଼ିତା ଛାତ୍ରୀ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।ଛାତ୍ରୀ ଜଣଙ୍କ ଆତ୍ମାହୁତି ଉଦ୍ୟମ ପଛରେ କିଏ ଦାୟୀ ,ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଅଧ୍ୟାପକଙ୍କ କେଳେଙ୍କାରୀ ଉପରେ ଘଣ୍ଟ ଘୋଡାଇବାର ମସୁଧା ହେବାରୁ ପୀଡ଼ିତା ଛାତ୍ରୀ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିଲେ।ତେଣୁ କଲେଜ କର୍ତୃପକ୍ଷ ପକ୍ଷରୁ ଗଠିତ ଆଭ୍ୟନ୍ତରୀଣ କମିଟିର କାର୍ଯ୍ୟଦକ୍ଷତା ଉପରେ ଓ ନିରପେକ୍ଷତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।କମିଟିରେ ଥିବା ସଦସ୍ୟ ମାନେ ଛାତ୍ରୀଙ୍କ ସମ୍ବେଦନଶୀଳ ଅଭିଯୋଗକୁ ଉପରଠାଉରିଆ ଭାବେ ତଦନ୍ତ କରି ରିପୋର୍ଟ ଦେବା ପରେ ଛାତ୍ରୀ ଜଣଙ୍କ ନିରାଶ ହୋଇ ପଡ଼ିଥିଲେ।ନ୍ୟାୟ ପାଇବା ପାଇଁ ସେ କଲେଜ କତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ।ସେ ନିଜେ ସଂଶ୍ଳିଷ୍ଟ ଥିବା ଏବିଭିପି ଛାତ୍ର ସଂଗଠନ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଶିକ୍ଷା ବିଭାଗର ଏଚଓଡି ସମୀର କୁମାର ସାହୁ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।ଏପରିକି ସୌମ୍ୟାଶ୍ରୀ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିବା ପରେ ସେ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।କିନ୍ତୁ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବାର ଧମକ ଦେଇ ବାରମ୍ବାର ଆପୋଷ ବୁଝାମଣା କରି ନେବାକୁ କଲେଜ କତ୍ତୃପକ୍ଷ ଚାପ ପକାଇଥିଲେ। ଶେଷ ଥର ପାଇଁ କଲେଜ ଅଧକ୍ଷଙ୍କୁ ଭେଟି ସୌମ୍ୟାଶ୍ରୀ ଗୁହାରୀ କରିବା ପରେ ନିରାଶ ହେବା ପରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।ଏହି ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ।ଏହି ଘଟଣାରେ କଲେଜ କତ୍ତୃପକ୍ଷ ଓ ପୁଲିସର ନିଷ୍କ୍ରିୟତା ସରକାରର ଅସଲ ମୁଖା ଖୋଲିଦେଇଥିବା ନେଇ ଦଳ ଅଭିଯୋଗ କରିଛି।ଏଥିସହ ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳା ଏବଂ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସରକାର ବିପକ୍ଷରେ ଯୁବ ଓ ଛାତ୍ର ବିଜେଡିର କାର୍ଯ୍ୟକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି।ଏହା ସହିତ ଏଭଳି ଘଟଣା ପାଇଁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।ଦଳ ପକ୍ଷରୁ କୁହାଯାଇଛି ଯେ,ଫକୀର ମୋହନ ମହାବିଦ୍ୟାଳୟର ଅଧ୍ୟାପକ ତାଙ୍କଠାରୁ ଶାରୀରିକ ଅନୁଗ୍ରହ ଚାହୁଥିବା ନେଇ ଛାତ୍ରୀ ଜଣକ ଗତ ଜୁଲାଇ ୧ ତାରିଖରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ।ହେଲେ କଲେଜର ଅଧ୍ୟକ୍ଷ ଏହି ଅଭିଯୋଗକୁ ଗୁରୁତ୍ୱ ନ ଦେଇ କୌଣସି ତ୍ୱରିତ ପଦକ୍ଷେପ ନ ନେବାରୁ ଛାତ୍ରୀ ଜଣକ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ।ସେଠାରେ ମଧ୍ୟ ନ୍ୟାୟ ପାଇବାରେ ବିଫଳ ହେବାରୁ ସେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ତାଙ୍କ ଦୁଃଖ ଜଣାଇଥିଲେ,ଯାହାକୁ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମରେ ସ୍ଵୀକାର ମଧ୍ୟ କରିଛନ୍ତି।କିନ୍ତୁ ବିଡ଼ମ୍ବନାର ବିଷୟ ଯେ,ଶ୍ରୀ ଷଡ଼ଙ୍ଗୀ ଛାତ୍ରୀ ଜଣଙ୍କୁ ନ୍ୟାୟ ଦେବା ପାଇଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ।ଆହୁରି ମଧ୍ୟ ଛାତ୍ରୀ ଜଣକ ବାରମ୍ବାର ସୋସିଆଲ ମିଡିଆରେ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା।ଅଭଳି ବଡ ଘଟଣାକୁ ହାଲୁକା ଭାବେ ନେବା ଦ୍ଵାରା ଦୀର୍ଘ ୧୨ ଦିନ ଧରି ନ୍ୟାୟ ପାଇଁ ସଂଘର୍ଷ କରିବା ପରେ ଛାତ୍ରୀ ଜଣକ ବାଧ୍ୟ ହୋଇ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିଲେ।ଛାତ୍ରୀ ଜଣକ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟା ହୋଇଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଓ ନ୍ୟାୟ ଦେଇ ପାରିଲେ ନାହିଁ।ତାହାହେଲେ ଜଣେ ସାଧାରଣ ଛାତ୍ରୀ ଏହି ସରକାର ଠାରୁ ସୁରକ୍ଷା ଓ ନ୍ୟାୟ କିଭଳି ଆଶା କରିବ ବୋଲି ଦଳ ପ୍ରଶ୍ନ କରିଛି।ଛାତ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଲଢେଇ ଜାରି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି।