MMDR ବିରୋଧରେ କଂଗ୍ରେସ–INDIA ମେଣ୍ଟର ରଣହୁଙ୍କାର
ଅନୁଗୋଳରେ ବିଶାଳ ରାଲି ଓ ଜନସଭା; ତାଳଚେରରୁ ପ୍ରଫୁଲ୍ଲ ଦାସଙ୍କ ନେତୃତ୍ୱରେ ଯୋଗଦାନ
ଅନୁଗୋଳ:(ମନୋଜ ରାଉତ)(ନିପ୍ର): MMDR Amendment Act, 2026କୁ ନେଇ ଓଡ଼ିଶାରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ଆଇନର ବିରୋଧରେ କଂଗ୍ରେସ ଓ INDIA ମେଣ୍ଟ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯାଉଥିବା ବେଳେ ଅନୁଗୋଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ଜିଲ୍ଲା ନେତୃତ୍ୱରେ ବିଭିନ୍ନ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀମାନେ ରାଲିରେ ସାମିଲ ହୋଇଥିଲେ। ତାଳଚେର ନିର୍ବାଚନମଣ୍ଡଳୀ ପକ୍ଷରୁ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନେତୃତ୍ୱରେ ରାଲି ବାହାରି ଅନୁଗୋଳ ବିଜୁ ମୈଦାନରେ ଆୟୋଜିତ ଜନସଭାରେ ଯୋଗଦେଇଥିଲା।
ସଭାରେ INDIA ମେଣ୍ଟ ନେତାମାନେ MMDR ସଂଶୋଧନକୁ ନେଇ ରାଜ୍ୟର ଖଣିଜ ସମ୍ପଦ, ରାଜସ୍ୱ ଓ ଖଣି ଅଞ୍ଚଳର ଲୋକଙ୍କ ଅଧିକାର ସମ୍ପର୍କରେ ନିଜ ଆପତ୍ତି ରଖିଥିଲେ। ଓଡ଼ିଶାର ସ୍ୱାର୍ଥ ପାଇଁ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ଆନ୍ଦୋଳନକୁ ଆଗକୁ ନେବାକୁ ଆହ୍ୱାନ ଦିଆଯାଇଥିଲା।
MMDR ପ୍ରସଙ୍ଗକୁ ନେଇ ଓଡ଼ିଶା ବିଧାନସଭାରେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରିଛନ୍ତି। ସେପ୍ଟେମ୍ବର ୨୫ରେ କଂଗ୍ରେସ ସଦସ୍ୟମାନେ ଆଇନ ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିଥିବା ରିପୋର୍ଟ ରହିଛି।
ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ INDIA ମେଣ୍ଟ ପକ୍ଷରୁ ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।
ତେବେ MMDR ସଂଶୋଧନକୁ ନେଇ ବିରୋଧୀଙ୍କ ଆପତ୍ତି ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ମତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ବ୍ୟବସ୍ଥା ରାଜ୍ୟର ଖଣିଜ ରାଜସ୍ୱରେ ସ୍ଥିରତା ଆଣିବ।
ଏବେ ନଜର ୨୯ ତାରିଖର ବିଧାନସଭା ଘେରାଉ ଉପରେ। MMDRକୁ ନେଇ ଆରମ୍ଭ ହୋଇଥିବା ଏହି ରାଜନୈତିକ ଲଢ଼େଇ ଆଗକୁ କେଉଁ ରୂପ ନେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।
