*ପୂଜା ମଞ୍ଚରେ ଅତିଥି ନୁହେଁ, ସେବାର ସାଥୀ ହେଲେ ‘ଟଙ୍କିକିଆ ଡାକ୍ତର’* ।
(ଲୋକଙ୍କ ଅନୁରୋଧରେ ମଞ୍ଚ ଉପରେ ହିଁ ରୋଗୀ ଦେଖିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ ,ଉତ୍ସବ ମଞ୍ଚରୁ ମିଳିଲା ସେବାର ନିଆରା ବାର୍ତ୍ତା)
ବରଗଡ଼: ୨୭/୦୯(ନି ପ୍ର )ପୂଜା ମଞ୍ଚରେ ଅତିଥି ଭାବେ ବସିଥିଲେ। ଭାଷଣ ଦେଲେ। ଅତିଥି ଭାବେ ନିଜ ଦାୟିତ୍ୱ ସାରିବା ପରେ ସାଧାରଣତଃ ଫେରିଯିବା କଥା। କିନ୍ତୁ ଲୋକଙ୍କ ଅନୁରୋଧ ତାଙ୍କୁ ମଞ୍ଚ ଛାଡ଼ିବାକୁ ଦେଲା ନାହିଁ। ପୂଜା ମଞ୍ଚ ହିଁ ପାଲଟିଗଲା ଅସ୍ଥାୟୀ ଚିକିତ୍ସା ପରାମର୍ଶ କେନ୍ଦ୍ରରେ। ଅତିଥିର ଆସନରେ ବସିଥିବା ଡାକ୍ତର ହଠାତ୍ ରୋଗୀ ସେବାରେ ଲାଗିଗଲେ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ବିଜେପୁର ବଡ଼ପଡ଼ାର ଅନନ୍ତ ପୂଜା ଉତ୍ସବରେ। ଅନନ୍ତ ପୂଜା ଅବସରରେ ଅତିଥି ଭାବେ ଯୋଗଦେଇଥିଲେ ‘ଟଙ୍କିକିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନୀ। ପୂଜା ଉତ୍ସବର ଭକ୍ତିମୟ ପରିବେଶରେ ମଞ୍ଚ ଉପରେ ଅତିଥି ଭାବେ ନିଜ ଅଭିଭାଷଣ ରଖିବା ପରେ କିଛି ଲୋକ ନିଜ ସ୍ୱାସ୍ଥ୍ୟ ସମସ୍ୟା ନେଇ ତାଙ୍କ ନିକଟରେ ପହଞ୍ଚିଥିଲେ। ରୋଗୀମାନଙ୍କ ଅନୁରୋଧକୁ ଏଡ଼ାଇ ନଦେଇ ସେ ମଞ୍ଚ ଉପରେ ହିଁ ରୋଗୀଙ୍କ ସମସ୍ୟା ଶୁଣିବା ଆରମ୍ଭ କରିଥିଲେ। ଜଣେ ପରେ ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଶୁଣିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ ଡାକ୍ତର ରାମଚନ୍ଦାନୀ। ଏଥିସହ ସେଠାରେ ଥିବା କିଛି ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ରୋଗୀଙ୍କ ସ୍ପାଇରୋମେଟ୍ରୀ ପରୀକ୍ଷା ମଧ୍ୟ କରାଯାଇଥିଲା। ଆବଶ୍ୟକତା ଅନୁଯାୟୀ ଚିକିତ୍ସା, ଔଷଧ ଓ ପରବର୍ତ୍ତୀ ଚିକିତ୍ସା ସମ୍ପର୍କରେ ମଧ୍ୟ ସେ ମାର୍ଗଦର୍ଶନ କରିଥିଲେ। ଡାକ୍ତର ରାମଚନ୍ଦାନୀଙ୍କ ପାଇଁ ଏହା କୌଣସି ନୂଆ ଦୃଶ୍ୟ ନୁହେଁ। ଅର୍ଥନୈତିକ ଦୃଷ୍ଟିରୁ ଅସହାୟ, ଗରିବ ଓ ଚିକିତ୍ସାରୁ ବଞ୍ଚିତ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ତାଙ୍କ ସେବା ଯାତ୍ରାର ଏକ ପ୍ରମୁଖ ଅଧ୍ୟାୟ। ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ସେ କେବଳ ଚିକିତ୍ସା ପରାମର୍ଶ ଦିଅନ୍ତି ନାହିଁ, ଆବଶ୍ୟକ ହେଲେ ଉଚ୍ଚତର ଚିକିତ୍ସା ପାଇଁ ମଧ୍ୟ ଉପଯୁକ୍ତ ମାର୍ଗଦର୍ଶନ କରିଥାନ୍ତି। ଛୁଟି ଦିନ ଅନେକଙ୍କ ପାଇଁ ବିଶ୍ରାମର ସମୟ। କିନ୍ତୁ ଡାକ୍ତର ରାମଚନ୍ଦାନୀଙ୍କ ପାଇଁ ଏହି ସମୟ ଅନେକବେଳେ ପାଲଟିଯାଏ ସେବାର ସମୟରେ। ସହରର ସୁବିଧାଜନକ ପରିବେଶ ଛାଡ଼ି ସେ ପହଞ୍ଚିଥାନ୍ତି ଗାଁ ଓ ଅପହଞ୍ଚ ଅଞ୍ଚଳରେ। କେବେ ଗାଡ଼ି ଭିତରେ ଚିକିତ୍ସା, କେବେ ଗାଁ ଦାଣ୍ଡରେ, କେବେ ଖାଟିଆ ଉପରେ, ଆଉ କେବେ ମାଟି ପିଣ୍ଡାରେ ବସି ରୋଗୀଙ୍କ ସମସ୍ୟା ଶୁଣିବା ତାଙ୍କ ସେବାର ପରିସର ଏମିତି ଅନେକ ଅନୁଭବର ସାକ୍ଷୀ। ତାଙ୍କ ଚିକିତ୍ସାସେବାର ଆଉ ଏକ ବିଶେଷ ଦିଗ ହେଉଛି ସେବାକୁ ସେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବାନ୍ଧି ରଖିନାହାନ୍ତି। କ୍ଲିନିକ୍ର ଚାରିକାନ୍ଥ ତାଙ୍କ ପାଇଁ ସେବାର ସୀମା ନୁହେଁ। ଯେଉଁଠି ରୋଗୀ, ସେଠି ତାଙ୍କ ସେବାର ପହଞ୍ଚ। ଗାଁରୁ ସହର, ଗରିବଙ୍କ ଘରଦୁଆରରୁ ଆରମ୍ଭ କରି ଜନସମାଗମର ସ୍ଥାନ ପର୍ଯ୍ୟନ୍ତ, ସୁଯୋଗ ମିଳିଲେ ସେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଶୁଣି ସମ୍ଭବ ମାର୍ଗଦର୍ଶନ କରିଥାନ୍ତି। ବଡ଼ପଡ଼ା ଅନନ୍ତ ପୂଜା ମଞ୍ଚରେ ଘଟିଥିବା ଏହି ଘଟଣା ମଧ୍ୟ ସେହି ସେବା ମନୋଭାବର ଏକ ଛୋଟ ଉଦାହରଣ। ପୂଜା ମଞ୍ଚରେ ଅତିଥି ଭାବେ ଆସିଥିବା ଜଣେ ଡାକ୍ତର ଲୋକଙ୍କ ଅନୁରୋଧରେ ସେହି ମଞ୍ଚରେ ହିଁ ରୋଗୀ ସେବାରେ ନିୟୋଜିତ ହେବା ଉପସ୍ଥିତ ଲୋକଙ୍କ ମନ ଛୁଇଁଥିଲା। ଏହି ଦୃଶ୍ୟ ଯେମିତି କହୁଥିଲା ପୂଜା ମଞ୍ଚ କେବଳ ଭାଷଣ ପାଇଁ ନୁହେଁ, ସେବାର ସଂକଳ୍ପକୁ ଜୀବନ୍ତ କରିବାର ମଞ୍ଚ ମଧ୍ୟ ହୋଇପାରେ। ଅତିଥି ଭାବେ ଆସି ଅତିଥି ହୋଇ ରହିଲେ ନାହିଁ, ଲୋକଙ୍କ ଡାକରେ ଡାକ୍ତର ହୋଇ ପାଖରେ ଠିଆ ହେଲେ। ଏହି କାରଣରୁ ବଡ଼ପଡ଼ାର ଅନନ୍ତ ପୂଜା ଉତ୍ସବରେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଉପସ୍ଥିତି କେବଳ ଜଣେ ଅତିଥିଙ୍କ ଉପସ୍ଥିତି ହୋଇ ରହିଲା ନାହିଁ, ବରଂ ଏହା ପାଲଟିଗଲା ମାନବସେବାର ଏକ ନିଆରା ଦୃଶ୍ୟରେ।
