
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଖଡ଼ଗପୁର ଆଇଆଇଟିରେ କୃଷି ବିଜ୍ଞାନ ବିଭାଗରେ ଗବେଷଣାରତ ଛାତ୍ରୀ ସୁଶ୍ରୀ ସ୍ଵାଗତିକା ପ୍ରିୟଦର୍ଶିନୀ ମହାନ୍ତି ନିଜର କୃତୀତ୍ୱ ପାଇଁ କାନାଡ଼ା ଗସ୍ତ କରିଛନ୍ତି। ତାଙ୍କ ଗବେଷଣା ସଂଦର୍ଭର ଶୀର୍ଷକ “ଶସ୍ୟ ଫସଲରେ ରୋଗ ପରିଚାଳନା ପାଇଁ ଏକ ଏଆଇ-ସହାୟତ ପରିବର୍ତ୍ତନଶୀଳ ହାର ଇଲେକ୍ଟ୍ରୋଷ୍ଟାଟିକ୍ ସ୍ପ୍ରେୟରର ବିକାଶ”ସମ୍ବନ୍ଧୀୟ ଶୀର୍ଷକ କାନାଡ଼ାର ଟୋରୋଣ୍ଟୋ ସ୍ଥିତ ଆନ୍ତର୍ଜାତିକ ସଂସ୍ଥା ‘ଦ ଆମେରିକାନ ସୋସାଇଟି ଅଫ ଏଗ୍ରିକଲଚରାଲ ଏଣ୍ଡ ବାଇଓଲୋଜିକାଲ ଇଞ୍ଜିନିୟରସ’ ଦ୍ୱାରା ଗ୍ରହଣୀୟ ଓ ଉଚ୍ଚ ପ୍ରଶଂସିତ ହୋଇଛି। ସେଠାରେ ସେ ନିଜର ଗବେଷଣା ସଂଦର୍ଭ ସମ୍ବନ୍ଧରେ ଉପସ୍ଥାପନା କରି ଆଲୋଚନାରେ ଭାଗ ନେବେ ଏବଂ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବେ। ସ୍ଵାଗତିକା ଜଣେ କୃତୀ ଛାତ୍ରୀ ଭାବେ ବାଗୁଡ଼ି ନବୋଦୟ ବିଦ୍ୟାଳୟ, ଓୟୁଏଟି ଭୁବନେଶ୍ୱର ଏବଂ ଖଡ଼ଗପୁର ଆଇଆଇଟିରେ ବେଶ ପ୍ରଶଂସା ସାଉଁଟିଛନ୍ତି। ପ୍ରକାଶ ଥାଉ କି ସୁଶ୍ରୀ ସ୍ଵାଗତିକା ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ ସ୍ଥିତ ବାଲିଖଣ୍ଡ ଗ୍ରାମ ନିବାସୀ ଖଗେନ୍ଦ୍ର ମହାନ୍ତି ଓ ସରୋଜିନୀ ମହାନ୍ତିଙ୍କର ସୁପୁତ୍ରୀ ଅଟନ୍ତି। ତାଙ୍କର ପିତା ସୋର ସ୍ଥିତ ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧ୍ୟାପକ ଥିବା ବେଳେ ମା ଜଣେ ସୁଗୃହିଣୀ ଅଟନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ସେ ନିଜର ପିତା,-ମାତା, ଶିକ୍ଷକ-ଶିକ୍ଷୟତ୍ରୀ, ଅଜା-ଆଈ, ଏବଂ ମାମୁଁ-ମାଇଁଙ୍କୁ ପ୍ରଦାନ କରିଛନ୍ତି।