୫୨ କେଜି ଗଞ୍ଜେଇ ଜବତ, ୫ ଗିରଫ
ଗାଡ଼ିର ସିଟ୍ ତଳେ ଗୁପ୍ତ ଚାମ୍ବର କରି ହେଉଥିଲା ବିହାରକୁ ଚାଲାଣ
କନ୍ଧମାଳ:(ନି. ପ୍ର )ଗଞ୍ଜେଇ ଚାଲାଣ ଉପରେ କୋଟଗଡ଼ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ବିହାରକୁ ଚାଲାଣ ହେଉଥିବା ବେଳେ ୫୨ କେଜି ଗଞ୍ଜେଇ ସହ ଏକ ମାରୁତି ବ୍ରେଜା ଗାଡ଼ି, ୫ଟି ମୋବାଇଲ ଫୋନ୍ ଏବଂ ନଗଦ ୪,୩୦୦ ଟଙ୍କା ଜବତ କରିଛି ପୁଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି।କୋଟଗଡ଼ ଥାନା କେସ୍ ନମ୍ବର ୧୭୯/୨୦୨୬, ଧାରା ୨୦(ବ)(ii) C/୨୯ NDPS Act ଅନୁଯାୟୀ ମାମଲା ରୁଜୁ ହୋଇଛି।ପୁଲିସ ସୂଚନା ଅନୁସାରେ, ଗଞ୍ଜେଇ ପ୍ୟାକେଟଗୁଡ଼ିକୁ ଗାଡ଼ିର ସିଟ୍ ତଳେ ତିଆରି ହୋଇଥିବା ଗୁପ୍ତ ଚାମ୍ବରରେ ଲୁଚାଇ ଚାଲାଣ କରାଯାଉଥିଲା। ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇବା ପରେ କୋଟଗଡ଼ ଥାନା ପୁଲିସ କେଶରଗୁଡ଼ା ଛକ ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲା।ଯାଞ୍ଚ ସମୟରେ ଗାଡ଼ିର ଗୁପ୍ତ ଚାମ୍ବରରୁ ୫୨ କେଜି ଗଞ୍ଜେଇ ମିଳିବା ସହ ଉପରୋକ୍ତ ସାମଗ୍ରୀ ଜବତ ହୋଇଥିଲା। ଘଟଣାରେ ୫ ଜଣଙ୍କୁ ପୁଲିସ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ବିହାର ରୋହତାସ ଜିଲ୍ଲାର ଦୁଧାର ଅଞ୍ଚଳର ସନ୍ତୋଷ କୁମାର ଓ ସଞ୍ଜୟ ଚୌଧୁରୀ, ଏବଂ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ବୈକୁଣ୍ଠ ପରାସେଠ ଓ ବୈଷ୍ଣବ ମାନସେଠ। ଅନ୍ୟ ଜଣେ ଅଭିଯୁକ୍ତ କୋଟଗଡ଼ ଥାନା ଅଞ୍ଚଳର ଅଜୁ ବଡ଼ସେଠ ବୋଲି ପୁଲିସ ସୂଚନା ଦେଇଛି।
ଗିରଫ ୫ ଅଭିଯୁକ୍ତଙ୍କୁ ଆଇନାନୁସାରେ କୋର୍ଟକୁ ଫରୱାର୍ଡ କରାଯାଇଛି। ଘଟଣା ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି।
