*ସ୍ୱଚ୍ଛତା ଓ ହରିତ ପରିବେଶରେ ଉତ୍କର୍ଷ: ଖରଖରିଆ ବିଦ୍ୟାଳୟକୁ ଜିଲ୍ଲାସ୍ତରୀୟ ସମ୍ମାନ*
ଚିକିଟି, ୨୦. ୦୯. ୨୦୨୬:(ଶ୍ରୀବତ୍ସ ସାହୁ) ସ୍ୱଚ୍ଛ-ହରିତ ବିଦ୍ୟାଳୟ ରେଟିଂରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସ୍କୋର ହାସଲ କରିଥିବା ଚିକିଟି ବ୍ଲକର ଖରଖରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସମ୍ମାନିତ କରାଯାଇଛି। ବ୍ଲକସ୍ତରୀୟ କ୍ରୀଡ଼ା ଓ ଖେଳ ପ୍ରତିଯୋଗିତା-୨୦୨୬–୨୭ର ଉଦ୍ଯାପନୀ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଖରଖରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବିଷୋୟୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ।
ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ବିଦ୍ୟାଳୟ ପରିସରର ସୁସ୍ଥ ଓ ସୁନ୍ଦର ପରିବେଶ ବଜାୟ ରଖିବା ଦିଗରେ ନିଆଯାଇଥିବା ପଦକ୍ଷେପର ଏହା ଏକ ସ୍ୱୀକୃତି ବୋଲି କୁହାଯାଇଛି।କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ, ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ନାୟକ ସେଠୀ ଏବଂ ପ୍ରଧାନଶିକ୍ଷୟିତ୍ରୀ ସବିତା ରେଡ୍ଡୀଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଖରଖରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଗୌରବମୟ ସଫଳତା ପାଇଁ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବିଷୋୟୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।
