ମୁଣ୍ଡାଙ୍କ ପାରମ୍ପରିକ ଧର୍ମ ଓ ରୀତିନୀତି ସୁରକ୍ଷା ପାଇଁ ଆହ୍ୱାନ
ତିନିଦିନିଆ ପାହାନ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ, ୩୨ ପାହାନଙ୍କୁ ପ୍ରମାଣପତ୍ର ପ୍ରଦାନ
ଶ୍ୟାମାଖୁଣ୍ଟା , ମୟୂରଭଞ୍ଜ:
ତରିଖ – ୧୫/୦୯/୨୦୨୬
ମୁଣ୍ଡା ସମାଜର ପ୍ରାଚୀନ ଧାର୍ମିକ ପରମ୍ପରା, ରୀତିନୀତି ଓ ସାଂସ୍କୃତିକ ଆସ୍ଥାକୁ ସୁରକ୍ଷିତ ରଖିବା ସହ ଏହାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବାର ଦୃଢ଼ ସଂକଳ୍ପ ସହ ମୁଣ୍ଡାରୀ ଭାଷା ସମନ୍ୱୟ ସମିତି ଓ ସାରନା ସୋତୋହ ପାହାନ ଗୁଟୁଗାମର ମିଳିତ ଆନୁକୂଲ୍ୟରେ ଆୟୋଜିତ ତିନିଦିନିଆ ପାହାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ରଙ୍ଗାମାଟିଆସ୍ଥିତ କଲ୍ୟାଣ ମଣ୍ଡପଠାରେ ଉଦ୍ଯାପିତ ହୋଇଛି।
ଉଦ୍ଯାପନୀ ଦିବସରେ ମୁଣ୍ଡା ସମାଜର ପାରମ୍ପରିକ ଧାର୍ମିକ ବ୍ୟବସ୍ଥାରେ ବାହ୍ୟ ଧର୍ମୀୟ ପ୍ରଭାବ ଯୋଗୁଁ ଘଟୁଥିବା ପରିବର୍ତ୍ତନ ଓ ପାରମ୍ପରିକ ରୀତିନୀତିର ଅବକ୍ଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଭିନ୍ନ ମୁଣ୍ଡା ସାମାଜିକ ସଂଗଠନର ପ୍ରତିନିଧି, ପାହାନ ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ମୁଣ୍ଡାଙ୍କ ନିଜସ୍ୱ ଧାର୍ମିକ ପରମ୍ପରାକୁ କିପରି ଶୁଦ୍ଧ ଓ ସ୍ୱତନ୍ତ୍ର ଭାବେ ସୁରକ୍ଷିତ ରଖାଯାଇପାରିବ, ସେନେଇ ଗଭୀର ମନ୍ଥନ ହୋଇଥିଲା। ବକ୍ତାମାନେ କହିଥିଲେ ଯେ ପାହାନ କେବଳ ଧାର୍ମିକ କାର୍ଯ୍ୟ ସମ୍ପାଦନ କରୁଥିବା ବ୍ୟକ୍ତି ନୁହେଁ; ସେ ମୁଣ୍ଡା ସମାଜର ପାରମ୍ପରିକ ଧର୍ମ, ଆସ୍ଥା, ରୀତିନୀତି ଓ ଆଧ୍ୟାତ୍ମିକ ଜ୍ଞାନର ଜଣେ ରକ୍ଷକ। ତେଣୁ ପାହାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଏହାର ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବା ସମାଜର ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା।
ତିନିଦିନିଆ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବା ୩୨ ଜଣ ପାହାନଙ୍କୁ ସଂଗଠନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରମାଣପତ୍ର ଗ୍ରହଣ ପୂର୍ବରୁ ପ୍ରଶିକ୍ଷିତ ପାହାନମାନେ ସାରନା ସୋତୋହ ପାହାନ ଗୁଟୁଗାମ ପକ୍ଷରୁ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତାବଳୀକୁ ପାଳନ କରିବା ପାଇଁ ଶପଥ ନେଇଥିଲେ। ଏଥିସହ ପ୍ରଶିକ୍ଷଣରୁ ହାସଲ କରିଥିବା ଧାର୍ମିକ ଜ୍ଞାନକୁ କେବଳ ସମାଜର ମଙ୍ଗଳ, ଏକତା ଓ ଉନ୍ନତି ପାଇଁ ବ୍ୟବହାର କରିବାକୁ ସେମାନେ ଶପଥବଦ୍ଧ ହୋଇଥିଲେ।
ଉଦ୍ଯାପନୀ ସଭାରେ ମୁଣ୍ଡାରୀ ଭାଷା ସମନ୍ୱୟ ସମିତିର ଆବାହକ ବିରବଲ ସିଂହ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ସୁନାରାମ ସିଂହ ସଭା ପରିଚାଳନା କରିଥିଲେ। ଏହି ଅବସରରେ ମୁଣ୍ଡାରୀ ସମାଜ ସାୱାର ଜାମଡ଼ା ର ସଭାପତି ନନ୍ଦଲାଲ ସିଂହ, ଜିଲ୍ଲା ପରିଷଦ ସଭ୍ୟ (ଜୋନ୍-୪୯) ମଧୁସୂଦନ ସିଂହ, ରଙ୍ଗାମାଟିଆ ସରପଞ୍ଚ ରୋହିଦାସ ସିଂହ, ଭାରତ ମୁଣ୍ଡା ସମାଜର ମନୋଜ ମୁଣ୍ଡା, ଦିଲୀପ କୁମାର ସିଂହ, ମୁଣ୍ଡାରୀ ୟୁଟ୍ୟୁବର୍ସ ଆଣ୍ଡ ଆର୍ଟିଷ୍ଟସ୍ ଆସୋସିଏସନ୍ର ବାଜି ସିଂହ, ସେନ୍ଗେ ସୁସୁନ୍ କାଜିଗେ ଦୁରାଙ୍ଗର ସୁବନ ସିଂହ, , ସମନ୍ୱୟ ସମିତିର ପରାମର୍ଶଦାତା ବିଲକାନ ପ୍ରଭୁଦୟାଲ ନାଗ, ବେତନଟୀ ବ୍ଲକ ଆବାହକ ତପନ ସିଂହଙ୍କ ସମେତ ରାମେଶ୍ୱର ଚାଲାକି, ଅଜିତ ସିଂହ, ଶଶୀଧର ସିଂହ, ବୁଧିଆ ସିଂହ, ମନୋରଞ୍ଜନ ସିଂ ଉପସ୍ଥିତ ଥିଲେ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରଘୁନାଥ ସିଂହ, ବସନ୍ତ କୁମାର ସିଂହ, ପୂର୍ଣ୍ଣଚନ୍ଦ୍ର ସିଂହ ଓ ପରମେଶ୍ୱର ସିଂହ ପ୍ରଶିକ୍ଷକ ଭାବେ ଯୋଗଦେଇ ପାହାନଙ୍କୁ ପାରମ୍ପରିକ ଧାର୍ମିକ ରୀତିନୀତି, ପୂଜାବିଧି ଓ ପାହାନଙ୍କ ଦାୟିତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ଓ ପରିଚାଳନା ଦାୟିତ୍ୱ ରାମ ମୁଣ୍ଡା ଓ ସୁନାରାମ ସୋସୋ ତୁଲାଇଥିଲେ। ତିନିଦିନିଆ ଏହି ପ୍ରଶିକ୍ଷଣ ଶିବିର କେବଳ ପାହାନମାନଙ୍କ ପ୍ରଶିକ୍ଷଣରେ ସୀମିତ ନରହି ମୁଣ୍ଡା ସମାଜର ନିଜସ୍ୱ ଧାର୍ମିକ ପରିଚୟ, ପାରମ୍ପରିକ ଆସ୍ଥା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ଏକ ନୂଆ ଦିଗର ଆରମ୍ଭ କରିଛି। ପାରମ୍ପରିକ ଧର୍ମ ଓ ରୀତିନୀତିର ସୁରକ୍ଷା ପାଇଁ ଆଗାମୀ ଦିନରେ ଏଭଳି ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ମୁଣ୍ଡାରୀ ଭାଷା ସମନ୍ୱୟ ସମିତିର ଆବାହକ ବିରବଲ ସିଂହ ପ୍ରକାଶ କରିଛନ୍ତି।
