ଓଏଭି ଟିମନପୁରରେ ‘ସ୍ପାର୍କ-୨୦୨୬’ ଉତ୍ସବ, ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା
ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ
ସିନାପାଲି, ୧୧/୯: (ଧର୍ମେନ୍ଦ୍ର କୁମାର ଗହିର)ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଟିମନପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଓଏଭି ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଶିବୁ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷିକା, ଅଭିଭାବକ ଓ ଅତିଥିମାନଙ୍କ ଉପସ୍ଥିତିରେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ମୁଖ୍ୟ ଅତିଥି ଭାବେ ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ କାର୍ମି ଓରାମ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସିନାପାଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ମୀନା ଘିଭେଲା, ନୂଆପଡ଼ା ଜୋନ୍-୧୪ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଆଶା ଜୈନ, ଟିମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ବୈକୁଣ୍ଠ ଦଣ୍ଡସେନା ଓ ପିଟିଏ ପ୍ରତିନିଧି ଶ୍ରୀଯୁକ୍ତ ମିଥୁନ ବାଗ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ନିଜ ଉଦ୍ବୋଧନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ। ଗୁଣାତ୍ମକ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ଏକ ଉତ୍ତମ ମଞ୍ଚ ପ୍ରଦାନ କରୁଥିବା ସେମାନେ ମତପ୍ରକାଶ କରିଥିଲେ। ଶିକ୍ଷା ସହିତ କ୍ରୀଡ଼ା, ସାହିତ୍ୟ, କଳା ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ବକ୍ତୃତା, କୁଇଜ୍, ଚିତ୍ରାଙ୍କନ, ଗୀତ, ନୃତ୍ୟ ଓ କବିତା ଆବୃତ୍ତି ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତ୍ୟେକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିରେ ବିଶେଷ ଭାବେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୨୩ ସେପ୍ଟେମ୍ବରରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ‘ସ୍ପାର୍କ-୨୦୨୬’ ପ୍ରତିଯୋଗିତାରେ ବିଦ୍ୟାଳୟ ତରଫରୁ ଅଂଶଗ୍ରହଣ କରିବେ। ଏହାକୁ ନେଇ କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିବା ବେଳେ ବିଦ୍ୟାଳୟ ପରିବାର ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଯାଇଛି। କାର୍ଯ୍ୟକ୍ରମକୁ ଶିକ୍ଷକ ନରେନ୍ଦ୍ର କୁମାର ନାଏକ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଶିକ୍ଷକ ସଞ୍ଜୟ ନେଗି ଧନ୍ୟବାଦ ଅର୍ପଣ କରିଥିଲେ। ଆରାଧ୍ୟା, ଶୁଭଶ୍ରୀ, ଆରବ ଓ ନେତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଉତ୍ସବର ସଫଳ ଆୟୋଜନରେ ଶିକ୍ଷକ ପୂର୍ଣ୍ଣ କର୍ମୀ, ଅଙ୍କିତ ବାରିକ, ରୋହିତ ଭିତ୍ରିଆ, ମନୋଜ ମାଝୀ, ପ୍ରଦୀପ ବେହେରା, ମାନସ ବାଗ, ରୋହିତ ସରାଫ, ଲଛମନ ସାମଲ, ରାଜେନ୍ଦ୍ର ବୈଠାରୁ, ଶିକ୍ଷିକା ରୋଶନୀ ନାଏକ, ଲିପିକା ଲୁହା, ଅପରାଜିତା ପାତ୍ର, ସୁବଳୟା ଦୁରିଆ, ଶିବାନୀ ଦିଶ୍ରି, କିରାଣୀ ବିବେକାନନ୍ଦ ମହାନନ୍ଦ, ୱାର୍ଡେନ କୁନି କୁମ୍ଭାର, ସୁରେନ୍ଦ୍ର ମଶ୍ରା, ବିଷ୍ଣୁ ଦଣ୍ଡସେନା ଓ ଭୂମିକମ୍ପା କେତକୀ ପ୍ରମୁଖ ସହଯୋଗ କରିଥିଲେ ।
