କୁମୁସି ପଞ୍ଚାୟତରେ ହରିଶ୍ଚନ୍ଦ୍ର କାହା ପାଇଁ
(ନିପ୍ର ଗୋକୁଳାନନ୍ଦ ବେହେରା)ଢ଼େଙ୍କାନାଳ ପରଜଙ୍ଗ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମାତ୍ର କୁମୁସି ପଞ୍ଚାୟତରେ ଏହି ଯୋଜନାର ସହାୟତା ରାଶି ପାଇବାକୁ ଆବେଦନ କରିଥିବା ମୃତକଙ୍କ ପରିବାର ଲୋକଙ୍କୁ ମାସ ମାସ ଧରି ମିଳୁ ନ ଥିବା ଅଭିଯୋଗ ହୋଇଛି। କେତେକଙ୍କର ମୃତ୍ୟୁକୁ ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ସହାୟତା ରାଶି ମିଳି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ନିୟମ ଅନୁଯାୟୀ,ଗରିବ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ ଶବଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହାୟତା ଦିଆଯାଉଛି। ଶବଦାହ ସମୟରେ ଏହି ସହାୟତା ମିଳିବା କଥା। ହେଲେ କୁମୁସି ପଞ୍ଚାୟତରେ ଆବେଦନ କରିବା ପରେ ମୃତ୍ୟୁର ବର୍ଷେ ପରେ ବି ମିଳୁନି ସହାୟତା ଦୀର୍ଘଦିନ ଧରି ଟଙ୍କା ମିଳୁ ନ ଥିବା ଅଭିଯୋଗ ହୋଇଛି। କୁମୁସି ସରପଞ୍ଚ ବଳରାମ ନାଏକଙ୍କ କହିବାନୁଯାୟୀ,ବର୍ଷକ ମଧ୍ୟରେ ପଞ୍ଚାୟତରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୨ ଜଣ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇଁ ଆବେଦନ କରିଛନ୍ତି। ସମସ୍ତ ଆବେଦନକାରୀ ଯୋଗ୍ୟ ଥିବା ସେ କହିଛନ୍ତି। ଏହି ସହାୟତ ରାଶି ବ୍ୟାଙ୍କ ଖାତାରେ ଜମା ହୋଇ ରହିଛି। ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମିଳିତ ସ୍ବାକ୍ଷର ପରେ ଟଙ୍କା ଉଠାଯାଇ ଆବେଦନକାରୀଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ,ଟଙ୍କା ଉଠାଇ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଯ୍ୟନ୍ତଙ୍କୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ସେ ଗୁରୁତ୍ଵ ଦେଉନାହାନ୍ତି। ଏନେଇ ପରଜଙ୍ଗ ବିଡିଓଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିବା ସରପଞ୍ଚ ଅବଗତ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଇନା ମୁର୍ମୁଙ୍କୁ ପଚାରିବାରୁ ସେ ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସରପଞ୍ଚଙ୍କୁ ସ୍ବାକ୍ଷର ଦେଇପାରି ନଥିବା କହିଛନ୍ତି। ସମୟ ମିଳିଲେ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇ ହିତାଧିରୀଙ୍କୁଦିଆଯିବ ବୋଲି କହିଛନ୍ତି। ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଯୋଗ୍ୟ ଆବେଦନକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପ୍ରଦାନ କରିବା ସହ ଘଟଣାର ତଦନ୍ତ କରିବାକୁ ସରପଞ୍ଚଙ୍କ ସମେତ ସାଧାରଣରେ ଦାବି ହୋଇଛି।
