ସାରସକଣା/ଜାମଶଳା (ଅନିଲ କୁମାର ସାହୁ) : ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟ କୁ ନେଇ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛି ଦଳ। ସୋମବାର ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମହିଳା କମିଶନଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ବିଧାୟକ ଶ୍ରୀ ଖଟୁଆ ଜଣେ ନାରୀ ନେତ୍ରୀଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ କୌଣସି ସଭ୍ୟ ସମାଜ ରେ ଗ୍ରହଣୀୟ ନୁହେଁ।ଶ୍ରୀ ଖଟୁଆଙ୍କ ମନ୍ତ୍ୟବ୍ୟ କେବଳ ଲେଖାଶ୍ରୀଙ୍କ ସମ୍ମାନ ଉପରେ ନୁହେଁ,ବରଂ ସମଗ୍ର ନାରୀ ଜାତିର ମାନ ସମ୍ମାନ ଉପରେ ଆଞ୍ଚ ଆଣିଛି ବୋଲି ସ୍ମାରକ ପତ୍ରରେ କୁହାଯାଇଛି।ଏହା ପୂର୍ବରୁ ଡ. ସାମନ୍ତସିଂହାର ମହିଳା ଥାନାରେ ଏକ ଏଫ୍ଆଇଆର୍ ଦାଖଲ କରିଥିଲେ, ଯାହା ପଞ୍ଜୀକୃତ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମହିଳା କମିଶନଙ୍କ ଅଫିସକୁ ଯାଇ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତ୍ୟବ୍ୟ ମାମଲାରେ ମହିଳା କମିଶନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏ ନେଇ ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ଶ୍ରୀମତୀ ସାହୁ କହିଥିଲେ ଯେ,ରାଜ୍ୟରେ ଗତ ଏକ ବର୍ଷ ର ବିଜେପି ଶାସନରେ ନାରୀ ମାନଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ଅହେତୁକ ବୃଦ୍ଧି ପାଇଛି।ସରକାରୀ ଦଳର ବିଧାୟକ ହୋଇ ନାରୀ ପ୍ରତି ଏପରି ଅଶାଲିନ ମନ୍ତବ୍ୟ ଅପରାଧୀଙ୍କ ମନୋବଳ କୁ ବୃଦ୍ଧି କରୁଛି।ମହିଳାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସରକାର ଆଦୌ ତତ୍ପରତା ନାହିଁ।ବିଜେପି ସରକାର କ୍ଷମତାକୁ ଆସିବାର ଏକ ବର୍ଷ ପୂରଣ ହୋଇଥିବାବେଳେ ସରକାର ବର୍ଷ ପୂର୍ତ୍ତି ପାଳନରେ ବ୍ୟସ୍ତ ଅଛନ୍ତି।କିନ୍ତୁ ମହିଳାଙ୍କ ସ୍ବାର୍ଥ କୁ ଅଣଦେଖା କରିଚାଲିଛନ୍ତି। ଗତ ଏକ ବର୍ଷ ହେଲା ରାଜ୍ୟ ମହିଳା କମିଶନ ପଦ ଖାଲି ପଡ଼ିଛି।ମହିଳା କମିଶନ କାର୍ଯ୍ୟାଳୟରେ ସମ୍ପାଦକ ମଧ୍ୟ ନାହାନ୍ତି।ତେଣୁ ଆଜି ଭାରପ୍ରାପ୍ତ ସମ୍ପାଦକଙ୍କୁ ସ୍ମାରକ ପତ୍ର ଦିଆଯାଇଛି।ବିଧାୟକ ଶ୍ରୀ ଖଟୁଆଙ୍କ ବିରୋଧରେ କମିଶନ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା ରହିଛି।ଏହି ମାମଲାରେ କୌଣସି କାର୍ଯାନୁଷ୍ଠାନ ନ ହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ସାହୁ ଚେତାବନୀ ଦେଇଛନ୍ତି।ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ସାଂସଦ ତଥା ବରିଷ୍ଠ ସାଧାରଣ ସମ୍ପାଦିକା ରାଜଶ୍ରୀ ମଲ୍ଲିକ,ସାଧାରଣ ସମ୍ପାଦକ ମନ୍ମଥ ରାଉତରାୟ,ଗଣମାଧ୍ୟମ ସଂଯୋଜକ ଡ.ପ୍ରିୟବ୍ରତ ମାଝୀ,ଲୋରା ମହାପାତ୍ର,ମାନସୀ ସୁନ୍ଦରାୟ,ଅଂଶୁ ତ୍ରିପାଠୀ,ରକି ଦାସ,ମୋନାଲିସା ଗନ୍ତାୟତ, ଈଲା ସ୍ବାଇଁ , ସଂଗ୍ରାମ ସାମଲ ପ୍ରମୁଖ ସାମିଲ ଥିଲେ।
