ଜାତୀୟ ରାଜପଥରେ ଡକାୟତି ଯୋଜନା ପଣ୍ଡ : ୭ ଗିରଫ ବୋଲେରୋ ଏବଂ ମାରଣାସ୍ତ୍ର ଜବତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) :: ସୋର ପୋଲିସ କୁ ମିଳିଛି ବଡ଼ ସଫଳତା। ଜାତୀୟ ରାଜପଥ କଡ଼ରୁ ଲୁଟ୍ ପୂର୍ବରୁ ୭ ଜଣ ଲୁଟେରା ଗ୍ୟାଙ୍ଗ କୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି ସୋର ପୋଲିସ। ସୂଚନା ଅନୁସାରେ ସୋର ଥାନା ୧୬ ନଂ ଜାତୀୟ ରାଜପଥ ତଳନଗର ମୋନାଲି ହୋଟେଲରେ ଗତ ଶୁକ୍ରବାର ୭ ଜଣ ଯୁବକ ଜାତୀୟ ରାଜପଥରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ସୋର ପୁଲିସକୁ ଖବର ମିଳି ଥିଲା । ଫଳରେ ଥାନାଧିକାରୀ ଅନୁରାଗ ମହାନ୍ତିଙ୍କ ନିର୍ଦ୍ଦେଶରେ ଏସଆଇ ପ୍ରୀତିଜିତ ମହାନ୍ତି ଏବଂ ସୁଶୀଲ କୁମାର ମହନ୍ତଙ୍କୁ ନେଇ ଏକ ଟିମ୍ ଉକ୍ତ ହୋଟେଲ ଉପରେ ଚଢ଼ାଉ କରିଥିଲା। ସୋର ଅଞ୍ଚଳର ଏସକେ ସମରାଜ, ଏସକେ ସାହିଲ, ସାୟଦ ଅଲ୍ଲୀ , ଏସକେ ଅଶ୍ରଫଲ, ଏସକେ ଆବୁ ରହିମ, ଏସକେ ମୀରାଳ ଏବଂ ଔପଦା ଅଞ୍ଚଳର ପ୍ରକାଶ ବିଶ୍ଵାଳକୁ ଥାନାକୁ ଆଣି ପଚରାଉଚରା କରିବା ସହିତ ସେମାନେ ବ୍ୟବହାର କରୁଥିବା ଓଡି୦୨ ସିବି ୧୫୩୦ ନଂ ବିଶିଷ୍ଟ ବୋଲେରୋକୁ ଜବତ କରିଥିଲେ। ବୋଲେରୋ ଯଞ୍ଚ ପରେ ସେଥୁରୁ ଏକ ତେଲେଙ୍ଗା କଟୁରି, ଏକ ଖଣ୍ଡା ସମେତ ବିୟର ବୋତଲ ମଧ୍ଯ ଜବତ କରାଯାଇଥିଲା । ସେମାନଙ୍କୁ ଅଧିକ ପଚରାଉଚରା ପରେ ସେମାନେ ଜାତୀୟ ରାଜପଥରେ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିଲେ । ଫଳରେ ପୁଲିସ ନଂ ୬୫୨/୨୬ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଥିଲା। ଆଜି ମଧ୍ୟାହ୍ନରେ ସୋର ମେଡିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ପୁଲିସ କୋର୍ଟ ଚାଲାଣ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଉପରୋକ୍ତ ଅଭିଯୁକ୍ତଙ୍କ ନାମରେ ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି।
