ଭୟଙ୍କର ଅଗ୍ନିକାଣ୍ଡରେ ଭସ୍ମୀଭୂତ ହେଲା ଦିବ୍ୟାଙ୍ଗଙ୍କ ଘର ଅଳ୍ପକେ ବର୍ତ୍ତିଲେ ବିପନ୍ନ ।
ଧରାକୋଟ, ୦୮/୦୯/୨୦୨୬(ରିପୋର୍ଟ – ବାପୁନି ସେଠୀ ) : ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ରବୀନ୍ଦ୍ର ଗୌଡ଼ ନାମକ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘର ସମ୍ପୂର୍ଣ୍ଣ ଜାଳି ଯାଇଛି। ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଦିବ୍ୟାଙ୍ଗ ରବୀନ୍ଦ୍ର ଘରେ ଏକାକୀ ଥିଲେ ଏବଂ ଟିଭି ଦେଖୁଥିଲେ। ଏହି ସମୟରେ ଅନ୍ୟ ଏକ ବଖରାରେ ଥିବା ଫ୍ରିଜ୍ର ବୈଦ୍ୟୁତିକ ବୋର୍ଡରୁ ହଠାତ୍ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିଲା। ନିଆଁ ବ୍ୟାପିବା ଦେଖି ରବୀନ୍ଦ୍ର କୌଣସି ମତେ ଘଷୁଡ଼ି ଘଷୁଡ଼ି ଦାଣ୍ଡ ବାରଣ୍ଡାକୁ ଚାଲିଆସିଥିଲେ ଏବଂ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ।ତାଙ୍କ ଡାକ ଶୁଣି ଗ୍ରାମବାସୀମାନେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ିଆସି ପ୍ରଥମେ ରବୀନ୍ଦ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ମିଳିତ ପ୍ରୟାସରେ ଘରୁ କିଛି ଆସବାବପତ୍ର ବାହାର କରାଯାଇଥିଲେ ମଧ୍ୟ ଅନେକ ଦାମୀ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଚାରିଆଡ଼ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା। ତଥାପି, ଅଗ୍ନିଶମ କର୍ମଚାରୀମାନେ ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ସୂଚନା ଥାଉକି ରବୀନ୍ଦ୍ର ଉକ୍ତ ଘର ଖଣ୍ଡିକ କରିବା ପାଇଁ ଧାର କରଜ କରି ଅନେକ କଷ୍ଟ କରିଥିବା ବେଳେ ବର୍ତମାନ ସୁଦ୍ଧା କରଜ ସୁଝିପାରିନଥିବା କହିଥିଲେ ଏହି ସମୟରେ ଭଗବାନ ଗୋଟିଏ ପରେ ଗୋଟିଏ ଦାଣ୍ଡ ଦେଉଛନ୍ତି ବୋଲି କହିଥିଲେ |
