ବିଦ୍ୟୁତ୍ ସଂସ୍ପର୍ଶରେ ମା ଝିଅ ମୃତ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମୃତ ଦେହ ରଖି ବିକ୍ଷୋଭ l
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଦ୍ୟୁତ୍ ବିଭାଗ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାର ଅବହେଳା ଯୋଗୁଁ ଦୁଇଟି ମୂଲ୍ୟବାନ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାଶୋଡା ଗ୍ରାମରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ ଝିଅଙ୍କ କରୁଣ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଲଳିତା ନାଏକ ଏବଂ ତାଙ୍କ ଝିଅ ଶୀତଳl ନାଏକ।
ମିଳିଥିବା ସୂଚନା ଅନୁଯାୟୀ, କର୍ଲାଶୋଡା ଗ୍ରାମରେ କୌଣସି କାରଣରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ପହଞ୍ଚିବା ଯୋଗୁ ଏକ ଅଟୋ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ l ସେଠାରେ କିଛି ସମୟପରେ ଡାକ୍ତର ଉଭୟ ମା ଏବଂ ଝିଅଙ୍କୁ ମୃତ ଘୋଷଣା କରିଥିଲେ l ଠିକ୍ ସମୟରେ ଚିକିତ୍ସା ନ ପାଇ ଉଭୟଙ୍କର ମୃତ୍ୟୁ ଘଟିଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ପରିବାରବର୍ଗ ଓ ଗ୍ରାମବାସୀ ମୃତଦେହ ଧରି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଦ୍ୟୁତ୍ ବିଭାଗ ତଥା ଆମ୍ବୁଲାନ୍ସ ସେବାର ଖାମଖିଆଲି ମନୋଭାବ ଏବଂ ଉପଯୁକ୍ତ ଚିକିତ୍ସା ଅଭାବ ଯୋଗୁ ଏହି ଅଘଟଣ ଘଟିଥିବା ଦର୍ଶାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି।
ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତ l ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସରକାରୀ ନିୟମ ଅନୁଯାୟୀ ରେଡ଼କ୍ରସ ରୁ ସହାୟତା ପ୍ରଦାନ କରାଯିବ ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି l
