ଭିଜିଲାନ୍ସ ଜାଲରେ ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ଏଷ୍ଟିମେଟର ଅନୁପମା ସାହୁl
ଢେଙ୍କାନାଳ –
ଲାଞ୍ଚ ଆଦାୟ ଅଭିଯୋଗରେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ଏଷ୍ଟିମେଟର ଅନୁପମା ସାହୁ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିବା ସୂଚନା ମିଳିଛି।ଠିକାଦାରଙ୍କ ଠାରୁ ଲାଞ୍ଚ ଆଦାୟ ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା। କାର୍ଯ୍ୟାଳୟରୁ ନୟନବିହାର ସ୍ଥିତ ବାସଭବନକୁ ଯାଉଥିବା ବେଳେ ମାର୍ଶାଘାଇ କ୍ରସିଂ, NH-53A ନିକଟରେ ତାଙ୍କ ଅଫିସ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା।ଯାଞ୍ଚ ସମୟରେ ତାଙ୍କ ନିକଟରୁ ୩ ଲକ୍ଷ ୧୫ ହଜାର ଟଙ୍କା ନଗଦ ଜବତ ହୋଇଥିବା ସୂଚନା ମିଳିଛି। ପରେ ତାଙ୍କ ବାସଭବନରେ ତଲାସ ବେଳେ ଆଉ ୪ ଲକ୍ଷ ଟଙ୍କା ନଗଦ ମିଳିଥିବା ଜଣାପଡ଼ିଛି। ଫଳରେ ମୋଟ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ରହିଛି।ଜବତ ନଗଦ ଟଙ୍କାର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ତଥ୍ୟ ମିଳିନଥିବାରୁ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ କରାଯାଉଛି। ଏହାସହ ତାଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ଆବାସିକ ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି (DA) ଦୃଷ୍ଟିରୁ ତଲାସ ଜାରି ରହିଛି।ସୂଚନା ଅନୁସାରେ, ଦୁହୁରିଆ ସ୍ଥିତ ଭଡ଼ା ଘର, ମାର୍ଶାଘାଇ କାର୍ଯ୍ୟାଳୟ, ଅନୁଗୁଳ ସ୍ଥିତ ବାପଘର ଏବଂ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରିଡାମାଳିସ୍ଥିତ ଶାଶୂ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ତଲାସ କରିଥିବା ଜଣାପଡ଼ିଛି।ଜିରିଡାମାଳିସ୍ଥିତ ଶାଶୂ ଘରେ ଏବେ ମଧ୍ୟ ଭିଜିଲାନ୍ସ ଟିମ୍ର ଛାନଭିନ୍ ଜାରି ରହିଥିବା ସୂଚନା ମିଳିଛି।ଜବତ ଟଙ୍କାର ପ୍ରକୃତ ଉତ୍ସ କଣ, ଏହା ଲାଞ୍ଚ ସହ ଜଡ଼ିତ କି ନାହିଁ ଏବଂ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ କଣ ଭିଜିଲାନ୍ସର ତଦନ୍ତ ଓ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପରେ ହିଁ ସ୍ପଷ୍ଟ ହେବ।
