ସୋରରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ବିଶ୍ୱାସରେ ବିଷ ଦେଲା ପୁରୁଷ ବନ୍ଧୁ , ନିଜ ସାଙ୍ଗ ସାଥିରେ ମିଶି ନିଜ ପ୍ରେମିକାକୁ କଲେ ଗଣଦୁଷ୍କର୍ମ। ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଛି | ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଏମିତି ଘଟଣା ଘଟିଛି | ଏନେଇ ସୋର ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ; ସଂପୃକ୍ତ ଅନାଥ ଛାତ୍ରୀ ଜଣକ ଯୁକ୍ତ ୨ରେ ପଢୁଛନ୍ତି। ଗତକାଲି ନିଜ ପୁରୁଷବନ୍ଧୁଙ୍କ ସହିତ ନୀଳଗିରି ବ୍ଲକ୍ ଅଧୀନ ବିଶ୍ଵେଶ୍ଵର ପାହାଡ଼କୁ ବୁଲିବାକୁ ଯାଇଥିଲେ | ସେଠାରେ ପୁରୁଷବନ୍ଧୁ ଓ ତାଙ୍କର ଜଣେ ସହଯୋଗୀ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ | ବିଳମ୍ବିତ ରାତିରେ ତାଙ୍କୁ ତଳନଗର ନିକଟରେ ଛାଡ଼ି ଉଭୟ ଚମ୍ପଟ ମାରିଥିଲେ | ଛାତ୍ରୀ ଜଣକ ସେଠାରେ ହତାଶ ହୋଇ ଛିଡ଼ା ହୋଇଥିବା ଦେଖି ରାଜପଥ ପାଟ୍ରୋଲିଂ ପୁଲିସ ତାଙ୍କୁ ଉଦ୍ଧାର କରି ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ିଥିଲେ । ଆଜି ଛାତ୍ରୀ ଜଣଙ୍କ ସୋର ଥାନାରେ ପହଞ୍ଚି ଦୁଷ୍କର୍ମ ଅଭିଯୋଗ କରିଥିଲେ | ପୁଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି |
