*ଉନ୍ନତ ଫସଲ ଉତ୍ପାଦନ ପ୍ରଣାଳୀ ଓ ହରଡ଼ ଚାଷର ଅମଳ ପରବର୍ତ୍ତୀ ପରିଚାଳନା ଉପରେ କୃଷକଙ୍କ ଦକ୍ଷତା ବୃଦ୍ଧି, କୃଷି ଉତ୍ପାଦନ ସଂସ୍ଥା ସୁଯୋଗ ସୃଷ୍ଟି*
ନୂଆପଡା(ମିଖାଏଲ ନନ୍ଦ) ତା:୦୪.୦୯.
ନୂଆପଡ଼ା ଜିଲ୍ଲାର ଖରିଆର ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରି ସ୍ଥିତ ସୁନ୍ଦରଭେଲି କଲେଜ ସମ୍ମିଳନୀ କକ୍ଷରେ ଉନ୍ନତ ଫସଲ ଉତ୍ପାଦନ ପ୍ରଣାଳୀ ଏବଂ ହରଡ଼ ଚାଷର ଅମଳ ପରବର୍ତ୍ତୀ ପରିଚାଳନା ଉପରେ କୃଷକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ୟୁଥ୍ ଫର୍ ଆକ୍ସନ୍ ଆଣ୍ଡ ରିସର୍ଚ୍ଚ (ୟାର), ଖରିଆର, ନୂଆପଡ଼ା ଦ୍ୱାରା ଆୟୋଜିତ ଏବଂ ICRISATର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୦୦ ରୁ ଅଧିକ କୃଷକ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇ କୃଷକମାନଙ୍କ ଆୟ ବୃଦ୍ଧି ଓ କୃଷି କ୍ଷେତ୍ରରେ ଆଧୁନିକ ଓ ବୈଜ୍ଞାନିକ ପ୍ରଣାଳୀର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ଅକ୍ଷୟ କୁମାର ନନ୍ଦ କୃଷକମାନଙ୍କୁ ଉନ୍ନତ କୃଷି ପ୍ରଣାଳୀ ଆପଣାଇବା ସହିତ ଉତ୍ପାଦନ ବୃଦ୍ଧି ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ କେବିକେ ବରିଷ୍ଠ ବୈଜ୍ଞାନିକ, ଶ୍ରୀ ଲଖନ ଲାଲ ମୀନା ଉନ୍ନତ କୃଷି ପ୍ରଣାଳୀ ଓ କୃଷକମାନଙ୍କ ଦକ୍ଷତା ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ICRISATର ବରିଷ୍ଠ ବୈଜ୍ଞାନିକ ଶ୍ରୀ ପ୍ରଦୀପ କୁମାର ସେଠୀ ମଧ୍ୟ ହରଡ଼ ଚାଷର ବୈଜ୍ଞାନିକ ପଦ୍ଧତି, ଉତ୍ପାଦନ ବୃଦ୍ଧି ଓ ଅମଳ ପରବର୍ତ୍ତୀ ପରିଚାଳନା ସମ୍ପର୍କରେ କୃଷକମାନଙ୍କୁ ମାର୍ଗଦର୍ଶନ କରିଥିଲେ।ASCO, ଧର୍ମଗଡ଼ ଶ୍ରୀ ସର୍ବଜୀତ ପରିଡ଼ା ଉନ୍ନତ ହରଡ଼ ବିହନ ଉତ୍ପାଦନ ପ୍ରଣାଳୀ ଉପରେ ବିସ୍ତୃତ ଭାବେ ଆଲୋଚନା କରି କୃଷକମାନଙ୍କୁ ଉନ୍ନତ ବିହନ ଉତ୍ପାଦନ, ବିହନର ଗୁଣବତ୍ତା ଓ ବୈଜ୍ଞାନିକ ପଦ୍ଧତି ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ଉମା ପ୍ରଧାନ, ଅନି କୁମାର ରାୟ, ବିଜୟ କୁମାର ବୈଦ୍ୟ ଏବଂ କୃଷି ବିଭାଗର କର୍ମଚାରୀମାନେ ଯୋଗଦେଇ କୃଷକମାନଙ୍କୁ ଆଧୁନିକ କୃଷି ପ୍ରଣାଳୀ, ଫସଲ ପରିଚାଳନା, ଅମଳ ପରବର୍ତ୍ତୀ ସଂରକ୍ଷଣ ଓ ଉତ୍ପାଦର ଗୁଣବତ୍ତା ବଜାୟ ରଖିବା ସମ୍ପର୍କରେ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମରେ ୟାର ଅନୁଷ୍ଠାନର ସଭାପତି ଶ୍ରୀ ମହେନ୍ଦ୍ର କୁମାର ଯୋଷୀ ଓ ଶ୍ରୀ ହରିଦାସ ପଟେଲଙ୍କ ସମେତ ଅରୁଣ ବିଶ୍ୱାଳ, ରାଜ କିଶୋର ପଣ୍ଡା, ବିରେନ ଧରୁଆ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସହଯୋଗୀମାନେ ଉପସ୍ଥିତ ଥିଲେ।କୃଷକମାନଙ୍କୁ ଉନ୍ନତ ଚାଷ ପ୍ରଣାଳୀ ସହିତ ହରଡ଼ ଚାଷର ଅମଳ ପରବର୍ତ୍ତୀ ପରିଚାଳନା, ସଠିକ୍ ସଂରକ୍ଷଣ ଓ ବଜାର ସଂଯୋଗ ସମ୍ପର୍କରେ ଜ୍ଞାନ,କୃଷି ଉତ୍ପାଦନ ସଂସ୍ଥା ସୁଯୋଗ ସୃଷ୍ଟି ପ୍ରଦାନ କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଶେଷରେ ଶ୍ରୀ ରାଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ବୈଜ୍ଞାନିକ, କୃଷି ବିଭାଗର କର୍ମଚାରୀ, କୃଷକ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇବା ସହ କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।
