ପୋଖରୀକୁ ଯାଇ ବୁଡ଼ିଗଲେ ଯୁବକ, ମୃତ ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ଥାନା ସାଜନପୁର ପଞ୍ଚାୟତ ବ୍ରହ୍ମପୁର ଗ୍ରାମ ଚାରିଘରିଆ ସାହିରେ ଜଣେ ଯୁବକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ ସୋର ଥାନା ସାଜନପୁର ପଞ୍ଚାୟତ ବ୍ରହ୍ମପୁର ଗ୍ରାମର ଚାରିଘରିଆ ସାହିର ରତ୍ନାକର ରାଉଳଙ୍କ ସାନ ପୁଅ ବିଶ୍ୱଜିତ ରାଉଳ ଆଜି ମଧ୍ୟାହ୍ନରେ ଶୌଚହେବା ପାଇଁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘର ନିକଟରେ ଥିବା ପୋଖରୀରୁ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
