ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ବିଭିନ୍ନ ବର୍ଗରେ ସମ୍ବର୍ଦ୍ଧିତ ହେବ ବୌଦ୍ଧ ଜିଲ୍ଲା l
ବୌଦ୍ଧ , ତା ୦୨/୦୯
ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ଓ ୨୦୨୫ରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ଆଲୁମନି କମିଟି, ଶିକ୍ଷକ ଓ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।ଏହି ସଫଳତା ଜିଲ୍ଲାର ଶିକ୍ଷା ମହଲରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି କରିଛି। ୨୦୨୪ ବର୍ଷ ପାଇଁ ଆଲୁମନି କମିଟି ବର୍ଗରେ ସମଲେଶ୍ୱରୀ ହାଇସ୍କୁଲ, ଘଣ୍ଟାପଡ଼ା ମନୋନୀତ ହୋଇଛି। ସେହିପରି ୨୦୨୫ ଶିକ୍ଷା ବର୍ଷ ପାଇଁ ଗ୍ରାମ ପଞ୍ଚାୟତ ପୁରସ୍କାର ପାଇଁ କଣ୍ଟାମାଳ ବ୍ଲକର ବରଗାଁ ଗ୍ରାମ ପଞ୍ଚାୟତ, ଆଲୁମିନି କମିଟି ପାଇଁ ଜନତା ହାଇସ୍କୁଲ ଆମ୍ବଗାଁ, ପ୍ରାଥମିକ ବିଦ୍ୟାଳୟ ବର୍ଗରେ ବୌଦ୍ଧ ବ୍ଲକର ବଲାସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ହରଭଙ୍ଗା ବ୍ଲକର ଧଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମନୋନୀତ ହୋଇଛନ୍ତି। ମାଧ୍ୟମିକ ବିଦ୍ୟାଳୟ ବର୍ଗରେ ସମଲେଶ୍ୱରୀ ହାଇସ୍କୁଲ, ଘଣ୍ଟାପଡ଼ା ଏବଂ ମାଧ୍ୟମିକ ସାମାଜିକ ବିଜ୍ଞାନ ଶିକ୍ଷକ ବର୍ଗରେ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବନମାଳୀ ମେହେର ମନୋନୀତ ହୋଇଛନ୍ତି। ଏହାସହ ଛାତ୍ରବୃତ୍ତି ବର୍ଗରେ ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟର ଇତିଶା ଦାସ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ସଂଗ୍ରାମପୁରର ମିଳନ ମେହେର ମନୋନୀତ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ତାରିଖ ଗୁରୁ ଦିବସ ଅବସରରେ ଭୁବନେଶ୍ଵରସ୍ଥିତ ଲୋକସେବା ଭବନରେ ଆୟୋଜନ ହେବାକୁ ଥିବା ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ସମସ୍ତେ ପୁରସ୍କାର ରାଶି ଓ ପ୍ରମାଣ ପତ୍ର ଗ୍ରହଣ କରିବେ।ବୌଦ୍ଧ ଜିଲ୍ଲାର ଏହି ସଫଳତା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ତରଫରୁ ଶିକ୍ଷା ବିଭାଗକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ଜିଲ୍ଲାର ଶିକ୍ଷାବିତ୍, ଶିକ୍ଷକ- ଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷାପ୍ରେମୀ ମହଲରୁ ମନୋନୀତ ସମସ୍ତ ବିଦ୍ୟାଳୟ, ଶିକ୍ଷକ, ଆଲୁମିନି ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଯାଇଛି । ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ନିର୍ଦ୍ଦେଶନାରେ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେଙ୍କ ନେତୃତ୍ୱରେ ଜିଲ୍ଲାର ସାମଗ୍ରିକ ଶିକ୍ଷାର ବିକାଶ ଏବଂ ମାନବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି l
