ଚିଲିଚିଲା-ବ୍ରାହ୍ମଣଛେଣ୍ଡିଆ ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ
ଖାଲଖମା ସହ କାଦୁଅ ପଚପଚ, ଯାତାୟାତରେ ନାନା ସମସ୍ୟା; ରାସ୍ତା ନିର୍ମାଣ ପାଇଁ ଦାବି
(କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନ ଚିଲିଚିଲା ଠାରୁ ବ୍ରାହ୍ମଣଛେଣ୍ଡିଆ ଗ୍ରାମପଞ୍ଚାୟତ ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ବଡ଼ ବଡ଼ ଖାଲଖମା ହୋଇଥିବା ବେଳେ ବର୍ଷା ହେଲେ ଖାଲଗୁଡ଼ିକରେ ପାଣି ଜମି ରାସ୍ତା କାଦୁଅ ପଚପଚ ହୋଇଯାଉଛି। ଫଳରେ ଏହି ରାସ୍ତା ଦେଇ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ନାନା ପ୍ରକାର ସମସ୍ୟା ଭୋଗୁଛନ୍ତି।ଚିଲିଚିଲା ଓ ଥନଟ ଗ୍ରାମର ଲୋକଙ୍କ ପାଇଁ ଏହି ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ମାଧ୍ୟମ। ବିଶେଷକରି ଚିଲିଚିଲା ଓ ଥନଟ ଗ୍ରାମବାସୀ ବିଭିନ୍ନ ସରକାରୀ ସେବା ପାଇଁ ବ୍ରାହ୍ମଣଛେଣ୍ଡିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି। ପଞ୍ଚାୟତ କାର୍ଯ୍ୟାଳୟରୁ ପିଡ଼ିଏସ୍ ଚାଉଳ ଆଣିବା, ବିଭିନ୍ନ ଭତ୍ତା ସମ୍ପର୍କିତ କାର୍ଯ୍ୟ, ସରକାରୀ ଯୋଜନାର ସୁବିଧା ପାଇବା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଲୋକଙ୍କୁ ଏହି ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ବୃଦ୍ଧ, ମହିଳା ଓ ଅନ୍ୟାନ୍ୟ ଲୋକମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି। ଏହାଛଡ଼ା ଏହି ରାସ୍ତା ଅଞ୍ଚଳର ଚାଷୀମାନଙ୍କ ପାଇଁ ମଧ୍ୟ ମୁଖ୍ୟ ଯାତାୟାତ ମାର୍ଗ। ଚାଷଜମିକୁ ଯିବା, କୃଷି ସାମଗ୍ରୀ ନେବା-ଆଣିବା ଭଳି ବିଭିନ୍ନ କାମ ପାଇଁ ଚାଷୀମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ରାସ୍ତାରେ ଥିବା ଖାଲଖମା ଓ କାଦୁଅ ଯୋଗୁଁ ଟ୍ରାକ୍ଟର, ମୋଟରସାଇକେଲ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି।ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଗୁଡ଼ିକ ଏତେ ଅଧିକ ହୋଇଛି ଯେ ବର୍ଷା ପରେ ସେଗୁଡ଼ିକ ପାଣିରେ ଭରିଯାଉଛି। ଫଳରେ ଖାଲର ଗଭୀରତା ଆକଳନ କରିବା କଷ୍ଟକର ହୋଇପଡ଼ୁଛି। ଦୁଇଚକିଆ ଯାନରେ ଯାତାୟାତ କରୁଥିବା ଲୋକେ ଅସାବଧାନତାରେ ଖାଲରେ ପଡ଼ିଯିବାର ଆଶଙ୍କା ରହୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତାର ଦୀର୍ଘଦିନ ଧରି ସ୍ଥାୟୀ ମରାମତି ହୋଇନଥିବାରୁ ଏହାର ଅବସ୍ଥା କ୍ରମଶଃ ଖରାପ ହୋଇଛି। ବର୍ଷା ଋତୁରେ ସମସ୍ୟା ଆହୁରି ବଢ଼ିଯାଉଛି। ଅସ୍ଥାୟୀ ଭାବେ ଖାଲଖମା ପୂରଣ କରିବା ବଦଳରେ ରାସ୍ତାର ସ୍ଥାୟୀ ନିର୍ମାଣ କରାଗଲେ ହିଁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।ଏହି ରାସ୍ତା ଉପରେ ନିର୍ଭରଶୀଳ ଚିଲିଚିଲା ଓ ଥନଟ ଗ୍ରାମବାସୀଙ୍କ ସମେତ ଅଞ୍ଚଳର ଚାଷୀମାନେ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ନିକଟରେ ରାସ୍ତାର ସ୍ଥାୟୀ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି। ବିଜେଡି ବ୍ଲକ ସଭାପତି ଡାକେ ଲହଜଳ ଓ ପୂର୍ବତନ ସରପଞ୍ଚ ଦାମୋଦର ମୁଣ୍ଡ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ରାସ୍ତାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନେ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ଖାଲଖମା, କାଦୁଅ ଓ ପାଣି ଜମିବା ସମସ୍ୟା ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।ସମ୍ପୃକ୍ତ ବିଭାଗ ତୁରନ୍ତ ଘଟଣାର ତଦନ୍ତ କରି ରାସ୍ତାର ଅବସ୍ଥା ସୁଧାରିବାକୁ ଦାବି କରିଛନ୍ତି। ବର୍ଷା ଦିନରେ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ ବିଳମ୍ବ ନକରି ତୁରନ୍ତ ରାସ୍ତା ନିର୍ମାଣ କରାଯିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।
