ବନ୍ଧୁକ ମୁନରେ ଲୁଟ୍ କରୁଥିବା ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ
ଚୋରି ବୁଲେଟ୍ ବାଇକ୍, ବନ୍ଧୁକ, ଅଫୁଟା ଗୁଳି ଓ ୫ ମୋବାଇଲ୍ ଜବତ
ବସ୍ତା:-(ନି.ପ୍ର) ସେଖ ଆଜାରୁଦ୍ଦିନ
ଦିନକୁ ଦିନ ରାହାଜାନୀ, ଛିନତାଇ ଓ ଡକାୟତି ବଢ଼ିଚାଲିଥିବା ବେଳେ ବନ୍ଧୁକ ମୁନରେ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ବସ୍ତା ପୋଲିସ। ଏହି ଗ୍ୟାଙ୍ଗ କିଛିଦିନ ପୂର୍ବରୁ ଦରଡ଼ାସ୍ଥିତ ପେଟ୍ରୋଲ ପମ୍ପ ଲୁଟ୍ ଘଟଣାରେ ମଧ୍ୟ ସାମିଲ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ବସ୍ତା ଥାନା ଅନ୍ତର୍ଗତ ନଳବାହାର ଛକ ନିକଟରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ତିନିଜଣ ଯୁବକ ଏକ ବାଇକ୍ରେ ଆସି ବନ୍ଧୁକ ଦେଖାଇ ଜଣେ ଅନଲାଇନ୍ ଡେଲିଭରୀ କର୍ମଚାରୀଙ୍କୁ ଅଟକାଇ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ସେମାନଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ପରେ ଏହି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।ପୋଲିସ ସେମାନଙ୍କ ନିକଟରୁ ଏକ ଚୋରି ବୁଲେଟ୍ ବାଇକ୍, ଗୋଟିଏ ବନ୍ଧୁକ, ଅଫୁଟା ଗୁଳି ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି। ସେହିପରି ଗତ ୩ ଜୁଲାଇ ତାରିଖରେ ଦରଡ଼ା ପେଟ୍ରୋଲ ପମ୍ପରେ ଏହି ଗ୍ୟାଙ୍ଗ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୟଭୀତ କରି ଲୁଟ୍ କରିଥିବା ଘଟଣାରେ ମଧ୍ୟ ସାମିଲ ଥିବା ପୋଲିସ କହିଛି।ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବସ୍ତା ଏସ୍ଡିପିଓ ସମର୍ଥ କୁମାର ବେହେରା ଓ ବସ୍ତା ଥାନା ଆଇଆଇସି ରଣଜିତ ସାହୁ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।ତେବେ ୧୬ ନମ୍ବର ଜାତୀୟ ରାଜପଥର ହଳଦୀପଦାରୁ ରାଜଘାଟ ଏବଂ ଗାନ୍ଧିଛକରୁ ଦରଡ଼ା ପର୍ଯ୍ୟନ୍ତ ଅଞ୍ଚଳରେ ରାହାଜାନୀ ଓ ଛିନତାଇ ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ପୋଲିସ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବାକୁ ଦାବି ହେଉଛି।
