ପାହାଡ଼ ଧସିଲେ ଅଟକିଯାଏ ଅଜୟଗଡ଼–ନାମନଗଡ଼ ରାସ୍ତା
ପ୍ରତିବର୍ଷ ଲଗାଣ ବର୍ଷାରେ ଭୂସ୍ଖଳନ, ମାଟି–ପଥର ହଟାଇ ଦାୟିତ୍ୱ ସାରୁଛି ବିଭାଗ; ସ୍ଥାୟୀ ସମାଧାନ କେବେ?
ଗଜପତି (ଟିକି ଲିମା)
ଲଘୁଚାପଜନିତ ଲଗାଣ ବର୍ଷା ଆସିଲେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଅଜୟଗଡ଼–ନାମନଗଡ଼ ରାସ୍ତା ନେଇ ଦେଖାଦେଉଛି ଚିନ୍ତା। ପାହାଡ଼ିଆ ଅଞ୍ଚଳ ଦେଇ ଯାଇଥିବା ଏହି ରାସ୍ତାରେ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ପାହାଡ଼ରୁ ମାଟି ଓ ପଥର ଧସି ରାସ୍ତା ଉପରେ ପଡ଼ିଥାଏ। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଅନେକ ସମୟରେ ଅଞ୍ଚଳବାସୀଙ୍କ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇପଡ଼େ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ରତିବର୍ଷ ବର୍ଷା ଋତୁରେ ସମାନ ସମସ୍ୟା ଦେଖାଦେଉଛି। ପାହାଡ଼ ଧସି ରାସ୍ତା ଅବରୋଧ ହେବା ପରେ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମାଟି ଓ ପଥର ହଟାଇ ରାସ୍ତାକୁ ଯାତାୟାତ ଉପଯୋଗୀ କରୁଛନ୍ତି। କିନ୍ତୁ ବର୍ଷା ଜାରି ରହିଲେ ପୁଣି ସେହି ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହୁଛି।
ଏଭଳି ପରିସ୍ଥିତିରେ କେବଳ ମାଟି ଓ ପଥର ହଟାଇ ରାସ୍ତା ସଫା କରିବା କେତେଦୂର ସ୍ଥାୟୀ ସମାଧାନ, ତାହାକୁ ନେଇ ପ୍ରଶ୍ନ ଉଠିଛି। ପାହାଡ଼ରୁ ମାଟି ଧସିବା ରୋକିବା ପାଇଁ ଆବଶ୍ୟକ ସ୍ଥାନରେ ରିଟେନିଂ ୱାଲ୍, ସୁରକ୍ଷା ବ୍ୟବସ୍ଥା, ଡ୍ରେନେଜ୍ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭୂସ୍ଖଳନ ନିରୋଧକ କାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି।
ଗଜପତି ଜିଲ୍ଲାର ଦୁର୍ଘଟଣା ପରିଚାଳନା ଯୋଜନାରେ ମଧ୍ୟ ଗୁମ୍ମା ବ୍ଲକକୁ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଯୋଜନାରେ ଗୁମ୍ମା ବ୍ଲକର ୫୯ଟି ଗାଁ ଏବଂ ୩୯ କିମି ରାସ୍ତାକୁ ଭୂସ୍ଖଳନ ଦୃଷ୍ଟିରୁ ବିପଦପ୍ରବଣ ଭାବେ ଦର୍ଶାଯାଇଛି।
ପୂର୍ବରୁ ମଧ୍ୟ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଗୁମ୍ମା ବ୍ଲକର ନାମନଗଡ଼–ଅଜୟଗଡ଼ ରାସ୍ତାର ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ଖବର ପ୍ରକାଶ ପାଇଥିଲା।
ତେବେ ପ୍ରଶ୍ନ ଉଠୁଛି—ପ୍ରତିବର୍ଷ ବର୍ଷା ଆସିଲେ ରାସ୍ତା ଅବରୋଧ, ତା’ପରେ ମାଟି–ପଥର ହଟାଇବା; ଏହି ଧାରା ଆଉ କେତେଦିନ? ଅଞ୍ଚଳବାସୀଙ୍କ ଦୈନନ୍ଦିନ ଯାତାୟାତ ସହ ଜରୁରୀକାଳୀନ ସେବା, ଛାତ୍ରଛାତ୍ରୀଙ୍କ ଯାତାୟାତ ଓ ରୋଗୀଙ୍କ ଚିକିତ୍ସା ସେବାକୁ ଦୃଷ୍ଟିରେ ରଖି ଏହି ରାସ୍ତାର ଭୂସ୍ଖଳନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ଯୋଜନା ଓ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଦାବି ହେଉଛି।
ବିଭାଗୀୟ କର୍ତ୍ତୃପକ୍ଷ କେବେ ଏହି ସମସ୍ୟାକୁ ସ୍ଥାୟୀ ଭାବେ ସମାଧାନ କରିବେ—ଏବେ ଅଞ୍ଚଳବାସୀଙ୍କ ଅପେକ୍ଷା ସେହି ଉତ୍ତରକୁ।
