ନାଲନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ
****************************
ବ୍ରହ୍ମପୁର, ତାରିଖ: ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଞ୍ଜାମ ପକ୍ଷରୁ ନାଲନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁର ପରିସରରେ ସ୍ଥାୟୀ ଲୋକ ଅଦାଲତ (Permanent Lok Adalat – PUS)ର ପ୍ରତିଷ୍ଠା ଓ କାର୍ଯ୍ୟାବଳୀ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମର ସଚିବ ତଥା କାର୍ଯ୍ୟକ୍ରମର ସଭାପତି ଶ୍ରୀ ବ୍ୟୋମକେଶ ନାୟକଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀ ଆଦିତ୍ୟ ନାରାୟଣ ରଥ, କନିଷ୍ଠ କିରାଣୀ, ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ। ସେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଲୋକ ଅଦାଲତର ଗୁରୁତ୍ୱ ଏବଂ ସାଧାରଣ ଲୋକଙ୍କ ପାଇଁ ସରଳ ଓ ଶୀଘ୍ର ନ୍ୟାୟ ପ୍ରଦାନରେ ଏହାର ଭୂମିକା ସମ୍ପର୍କରେ ସଂକ୍ଷିପ୍ତ ଭାବେ ଆଲୋକପାତ କରିଥିଲେ।ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରି ଶ୍ରୀ ବ୍ୟୋମକେଶ ନାୟକ, ସଚିବ, DLSA, ଗଞ୍ଜାମ, ସ୍ଥାୟୀ ଲୋକ ଅଦାଲତର ପ୍ରତିଷ୍ଠା, ଉଦ୍ଦେଶ୍ୟ, ଅଧିକାରକ୍ଷେତ୍ର ଓ କାର୍ଯ୍ୟପ୍ରଣାଳୀ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ସେ ବିଶେଷତଃ ସାଧାରଣ ଲୋକଙ୍କୁ ଦୀର୍ଘ ଓ ବ୍ୟୟବହୁଳ ମକଦ୍ଦମାରୁ ମୁକ୍ତି ପ୍ରଦାନ କରିବା ସହିତ ସୁଲଭ, ଦ୍ରୁତ ଓ ସମନ୍ୱୟମୂଳକ ନ୍ୟାୟ ପ୍ରଦାନରେ ସ୍ଥାୟୀ ଲୋକ ଅଦାଲତର ଗୁରୁତ୍ୱ ବିଷୟରେ ସଚେତନ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଉପସ୍ଥିତ ଅନ୍ୟମାନଙ୍କୁ ଆଇନ ସେବା ଓ ଲୋକ ଅଦାଲତ ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ଆହ୍ୱାନ କରାଯାଇଥିଲା। ଆଇନ ସଚେତନତା ମାଧ୍ୟମରେ ସମାଜରେ ନ୍ୟାୟିକ ସଚେତନତା ବୃଦ୍ଧି କରିବା ଏବଂ ଆବଶ୍ୟକତାବୋଧ କରୁଥିବା ବ୍ୟକ୍ତିଙ୍କୁ ଆଇନ ସେବା ସହିତ ଯୋଡ଼ିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ଶେଷରେ ନାଲନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉପ-ପ୍ରଧାନଶିକ୍ଷକ ଉପସ୍ଥିତ ସମସ୍ତ ଅତିଥି, ଆୟୋଜକ ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ଓ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଥିଲା।
ଏହି କାର୍ଯକ୍ରମକୁ ସଚିବ ଶ୍ରୀ ବ୍ୟୋମକେଶ ନାୟକ ସୂଚାରୁ ରୁପେ ପରିଚାଳନା କରିଥିଲେ
