ବ୍ରହ୍ମାକୁମାରିସ, ଶାନ୍ତିକୁଣ୍ଡରେ ପବିତ୍ର ରକ୍ଷାବନ୍ଧନ ପର୍ବ ପାଳିତ
ବ୍ରହ୍ମପୁର, 28।8 : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ଼ ପ୍ରାଙ୍ଗଣରେ ଆଜି ଆଧ୍ୟାତ୍ମିକ ପର୍ବ – ପବିତ୍ର ରକ୍ଷାବନ୍ଧନ ମହାସମାରୋହରେ ପାଳିତ ହୋଇଅଛି। ଏଥିରେ ଆଲୋଚ୍ୟ ବିଷୟ ଥିଲା – “ଭ୍ରାତୃଭାବର ସ୍ମୃତି ସ୍ୱରୂପ ପର୍ବ – ରକ୍ଷାବନ୍ଧନ”। ବ୍ରହ୍ମପୁର ସବଜୋନ ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ଭଗିନୀ ମାଳା ମୁଖ୍ୟବକ୍ତା ରୂପେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଭାଇ ଭଉଣୀର ପବିତ୍ର ଶାଶ୍ୱତ ପ୍ରେମର ପ୍ରତୀକ ଏହି ପର୍ବ ସେତେବେଳେ ଯଥାର୍ଥ ହୃଦୟଙ୍ଗମ କରିହୁଏ, ଯେତେବେଳେ ଏହି ସୃଷ୍ଟି ରଙ୍ଗମଞ୍ଚରେ 5 ବିକାରରେ କବଳିତ ମନୁଷ୍ୟ ସମାଜ ଅସହାୟ ହୋଇ ଏଥିରୁ ମୁକ୍ତିଲାଭ ସକାଶେ ସର୍ବସମର୍ଥ ପରମପିତା ପରମାତ୍ମା ଙ୍କୁ ସ୍ମରଣ କରେ, ସେତେବେଳେ ହିଁ ସର୍ବଶକ୍ତିମାନ ଶିବ ପରମାତ୍ମା ଏହି ଧରାପୃଷ୍ଠରେ ଦିବ୍ୟ ଅବତରଣ କରି ନିରନ୍ତର ଈଶ୍ୱରୀୟ ସ୍ମୃତିରୂପୀ ପବିତ୍ର ବନ୍ଧନରେ ବନ୍ଧାୟମାନ କରନ୍ତି। ଏହି ପବିତ୍ର ବନ୍ଧନରେ ସ୍ଥିତ ହେବା ଦ୍ଵାରା ନିଜର ବୃତ୍ତି, କୃତି, ସ୍ଥିତି ଏବଂ ଦୃଷ୍ଟି ପୁଣ୍ୟପ୍ରଦାୟକ ହୋଇଥାଏ ଯଦ୍ୱାରା ମାନବ ଜୀବନ ଶାନ୍ତି, ପ୍ରେମ, ସୁଖ, ଆନନ୍ଦ, ସନ୍ତୁଷ୍ଟତା ଆଦି ଦିବ୍ୟ ଗୁଣରେ ବିଭୂଷିତ ହୋଇଥାଏ। ତେଣୁ ଏହି ରକ୍ଷାବନ୍ଧନ ପର୍ବ ପାଳନର ପ୍ରାସଙ୍ଗିକତା କୁ ହୃଦୟଙ୍ଗମ କରି ଏହାର ମହତ୍ତ୍ୱକୁ ଚେତନାର ଜାଗ୍ରତ ପୂର୍ବକ ଜୀବନରେ ଧାରଣ କରିବାର ଶପଥ ନେବା ହିଁ ନିଜ ଜୀବନକୁ ସାର୍ଥକ କରି ଏକ ଦିବ୍ୟ ସୁଖମୟ ସମାଜର ନବନିର୍ମାଣ କରିବାରେ ସହାୟକ ହେବା। ଉକ୍ତ କାର୍ଯ୍ୟକ୍ରମ ରେ ବ୍ରହ୍ମକୁମାରୀ ବିଷ୍ଣୁପ୍ରିୟା ଅତିଥି ପରିଚୟ, ସଂସ୍ଥା ପଡିଚୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ଭାଷଣ ଦେଇଥିଲେ। ବ୍ରହ୍ମକୁମାରୀ ବିଶ୍ଵକଲ୍ୟାଣୀ ରାଜଯୋଗର ଅଭ୍ୟାସ କରାଇବା ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଉପସ୍ଥିତ ମହାନଗରରୁ ଆମନ୍ତ୍ରିତ ପ୍ରତିଷ୍ଠିତ ବ୍ୟକ୍ତିଗଣଙ୍କୁ ପବିତ୍ର ରାକ୍ଷୀ ବନ୍ଧା ଯାଇଥିଲା।
