ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗରେ ଅଧିକାରୀଙ୍କ ଅନୁପସ୍ଥିତି ଅଭିଯୋଗ
ଅଭିଯୋଗ ଓ ଗୁହାରୀ ଶୁଣିବ କିଏ?
ବାଲିଗୁଡ଼ା, ୨୮ ଅଗଷ୍ଟ ୨୦୨୬:
ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ କାର୍ଯ୍ୟାଳୟରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିୟମିତ ଅନୁପସ୍ଥିତିକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅଧିକାରୀ ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ନ ରହିବା ଯୋଗୁଁ ବିଭାଗୀୟ କାର୍ଯ୍ୟ ସହିତ ବିଭିନ୍ନ ଦୈନନ୍ଦିନ କାମ ପ୍ରଭାବିତ ହେଉଛି।
ବିଭିନ୍ନ ସମସ୍ୟା ଓ ସରକାରୀ କାମ ନେଇ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଅଧିକାରୀଙ୍କୁ ନ ପାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବିଭାଗୀୟ କାର୍ଯ୍ୟପ୍ରଣାଳୀକୁ ନେଇ ଅସନ୍ତୋଷ ବଢ଼ୁଥିବା ଦେଖାଯାଇଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—
ଯଦି ନିଜ ସମସ୍ୟା ଓ ଅଭିଯୋଗ ନେଇ ସାଧାରଣ ଲୋକେ ଅଧିକାରୀଙ୍କୁ ଭେଟି ପାରୁନାହାନ୍ତି, ତେବେ ସେମାନଙ୍କ ଗୁହାରୀ ଶୁଣିବ କିଏ?
ତେଣୁ ଏହି ଅଭିଯୋଗର ସତ୍ୟତା ନେଇ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରିବା ସହିତ କାର୍ଯ୍ୟାଳୟରେ ଅଧିକାରୀଙ୍କ ନିୟମିତ ଉପସ୍ଥିତି ଏବଂ ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି।
ତେବେ ଏହି ଅଭିଯୋଗ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି, ତାହା ଏବେ ଦେଖିବାକୁ ବାକି ରହିଲା।
ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଲେ, ତାହାକୁ ମଧ୍ୟ ଆମ ନ୍ୟୁଜ୍ ମାଧ୍ୟମରେ ପ୍ରକାଶ କରାଯିବ।
