*ଖଡ଼ିଆଳରେ ୮୬ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ; ରେଡକ୍ରସ ପାଣ୍ଠିରୁ ୪ ଜଣଙ୍କୁ ସହାୟତା*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୪/୦୮:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରାଯିବା ସହ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।ଶିବିରରେ ମୋଟ ୮୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୭୭ଟି ବ୍ୟକ୍ତିଗତ ଓ ୯ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ପ୍ରତ୍ୟେକ ଅଭିଯୋଗର ଶୁଣାଣି କରାଯାଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ଯଥାଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଶିବିର ଅବସରରେ ଦେବକୀ ଶବର, ମଞ୍ଜୁଳା ସରାଫ, ବିମଳ ଭୋଇ ଓ ବସନ୍ତ ଛତ୍ରିଆଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଲେଖାଏଁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ବନଖଣ୍ଡ ଅଧିକାରୀ ପ୍ରାନ୍ତିଆ ଅଜିଜ ଖାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା ପ୍ରମୁଖ ଉପସ୍ଥିତ ଥିଲେ।ବିଡିଓ ମିଳନ କୁମାର ଝାଙ୍କର, ଡେପୁଟି ଜିଲ୍ଲାପାଳ ଶେଖ ନସୀମଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଅଭିଯୋଗ ଶୁଣାଣି ଶିବିର ଅବସରରେ ବ୍ଲକ ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଏବଂ ଆୟୁଷ୍ମାନ ଆରୋଗ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।
