ମଠକରଗୋଳା ମହାବିଦ୍ୟାଳୟରେ ମହିଳା ସୁରକ୍ଷା ସମ୍ପର୍କିତ ଆଇନଗତ ଅଧିକାର ଉପରେ କର୍ମଶାଳା
(ଧର୍ମାନନ୍ଦ ସେଠି ଙ୍କ ଖବର )
ମଠକରଗୋଳା ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ଆନୁକୂଲ୍ୟରେ “ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଆଇନଗତ ଅଧିକାର ଓ ନିୟମାବଳୀ – IPC, POSH, POCSO ଓ ଆଣ୍ଟି-ରାଗିଂ” ଶୀର୍ଷକରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମହିଳାଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଧିକାର ସମ୍ପର୍କିତ ବିଭିନ୍ନ ଆଇନଗତ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କର୍ମଶାଳାର ସଭାପତି ପ୍ରଫେସର ଚିତ୍ତ ରଞ୍ଜନ ଦାଶ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ। କର୍ମଶାଳାର ମୁଖ୍ୟ ଅତିଥି ଭାବେ ଆଭ୍ୟନ୍ତରୀଣ ଅଭିଯୋଗ ସମିତି (ICC) ର ସଦସ୍ୟା ଅଧ୍ୟାପିକା ପ୍ରତିଭା ମଞ୍ଜରୀ ଦାଶ ଯୋଗଦେଇ ବାଳିକାମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଶ୍ରୀମତୀ ଶୁଭସ୍ମିତା ବିଶ୍ଵାଳ POCSO ଆଇନ ଉପରେ ବିଶେଷ ଗୁରୁତ୍ୱ ଦେଇ ଏହାର ମୁଖ୍ୟ ବ୍ୟବସ୍ଥାଗୁଡ଼ିକ ବ୍ୟାଖ୍ୟା କରିଥିଲେ ଏବଂ ଶିଶୁମାନଙ୍କୁ ଯୌନ ନିର୍ଯାତନା, ଶୋଷଣ ଓ ହଇରାଣରୁ ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ।ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ସଦସ୍ୟା ଶ୍ରୀମତୀ ବିଦ୍ୟାବତୀ ରାଜେନ୍ଦ୍ର, ଶ୍ରୀମତୀ ଅର୍ଚ୍ଚିତା ମହାମାନସିଂ, ଶ୍ରୀମତୀ ବିଜୟିନୀ ଲେଙ୍କା ଓ ରୋଜାଲିନ୍ ପୃଷ୍ଟି ମଧ୍ୟ ନିଜ ନିଜ ମତ ପ୍ରକାଶ କରିଥିଲେ। ଶ୍ରୀ ଫକିର ମୋହନ ଲେଙ୍କା ଯାନ୍ତ୍ରିକ ସହାୟତା ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଅଧ୍ୟାପିକା ଦିପ୍ତିମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
