ଝାରପୋଖରିଆ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ କାର୍ଯ୍ୟକ୍ଷମ ନ ହେବା ଅଞ୍ଚଳବାସୀଙ୍କ ପାଇଁ ଦୁର୍ଭାଗ୍ୟ
___________________
ସାରସକଣା,(୨୧/୮/୨୬):(ନି.ପ୍ର):
ଝାରପୋଖରିଆ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଏହା ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟକ୍ଷମ ନ ହେବା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ ।ଏହି ଓଭରବ୍ରିଜ୍ ଦ୍ଵାରା ଅଞ୍ଚଳବାସୀ ଯାତାୟାତ ସୁବିଧା ପାଇବା ସହ ନିତ୍ୟଦିନିଆ ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ପାଇଥାନ୍ତେ, କିନ୍ତୁ ପ୍ରଶାସନିକ ଅବହେଳା ଓ ବିଳମ୍ବ ଯୋଗୁଁ ଆଜି ବି ସ୍ଥାନୀୟ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ସମ୍ପୂର୍ଣ୍ଣ ହୋଇପଡିଥିବା ଓଭର ବ୍ରିଜ୍ ବ୍ୟବହାର ନ ହୋଇ ପଡି ରହିବା କେବଳ ସରକାରୀ ଯୋଜନାର ଶିଥିଳତାକୁ ଦର୍ଶାଉନାହିଁ, ବରଂ ଜନ ସାଧାରଣଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ଯାନବାହାନ ଚଳାଚଳ କରୁଥିବା ବେଳେ ତଳେ ଥିବା ରାସ୍ତାରେ ପ୍ରବଳ ଗ୍ରାଫିକ୍ ଜାମ୍ ଓ ଦୁର୍ଘଟଣାର ଆଶଙ୍କା ଲାଗିରହିଛି । ଅଞ୍ଚଳର ବ୍ୟବସାୟୀ, କଲେଜର ଛାତ୍ର ଛାତ୍ରୀ ଏବଂ ନିତ୍ୟ ଯାତ୍ରୀ ମାନେ ଅନାବଶ୍ୟକ ଭାବେ ନିଜର ବହୁ ମୂଲ୍ୟ ସମୟ ଓ ଇନ୍ଧନ ନଷ୍ଟ କରୁଛନ୍ତି । କାର୍ଯ୍ୟ ସରିବା ପରେ ବି ଓଭରବ୍ରିଜ୍କୁ ଚାଲୁ ନ କରିବା ପଛରେ କେଉଁ କାରଣ ରହିଛି , ତାହା ସାଧାରଣରେ ଅସ୍ଫଷ୍ଟ । ଯଦି ନିର୍ମାଣ ଶେଷ ହୋଇସାରିଛି , ତେବେ କେବଳ ଅନୁଷ୍ଠାନିକ ଉଦ୍ଘାଟନ କିମ୍ଵା ପ୍ରଶାସନିକ ଅପାରଗତା ପାଇଁ ଜନସାଧାରକଙ୍କୁ ଏହି ମୌଳିକ ସୁବିଧାରୁ ବଞ୍ଚିତ ରଖିବା କେତେ ଦୂର ଯୁକ୍ତିଯୁକ୍ତ ? ଅଞ୍ଚଳବାସୀଙ୍କ ଆଶା ଓ ଦାବିକୁ ସମ୍ମାନ ଦେଇ ସମ୍ପୃକ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ବିଷୟରେ ହସ୍ତକ୍ଷେପ କରନ୍ତୁ । ବିନା କୌଣସି ଅନାବଶ୍ୟକ ବିଳମ୍ବରେ ଏହି ଓଭରବ୍ରିଜ୍କୁ ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆଯାଉ , ଯାହା ଫଳରେ ଅଞ୍ଚଳବାସୀ ଦୀର୍ଘଦିନର ଏହି ଦୁର୍ଦ୍ଦଶାରୁ ମୁକ୍ତି ପାଇପାରିବେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
